ଜମ୍ବୁ କେନାଲ ଏବେ ଖେଳପଡିଆ : ସରକାର ଦୃଷ୍ଟି ଦେବେ କି !

ମାର୍ଶାଘାଇ,୨୦/୬ : ଏହା କୌଣସି ଖେଳପଡିଆର ଛବି ନୁହେଁ ! ମାର୍ଶାଘାଇ – ମହାକାଳପଡ଼ା ବ୍ଲକ ଦେଇ ବହିଯାଇଥିବା ଜମ୍ବୁ କେନାଲର ମନୋଲୋଭା ଦୃଶ୍ୟ । ଯେଉଁ କେନାଲ ଦିନେ ଉପକୂଳବର୍ତ୍ତୀ ଜିଲ୍ଲାର ଲାଇଫ ଲାଇନ ଥିଲା । ବ୍ରିଟିଶ ଶାସନ ସମୟରୁ ଏହି କେନାଲର ଇତିହାସ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିଛି । ଏହି ଜମ୍ବୁ କେନାଲ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ବ୍ଲକ ଯଥା ମାର୍ଶାଘାଇ ଏବଂ ମହାକାଳପଡ଼ାର ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି। ଏହି କେନାଲରେ ପ୍ରଶାସନ ଓ ରାଜନେତାଙ୍କ ଆଶୀର୍ବାଦ ଯୋଗୁଁ ଗାଧୁଆତୁଠର ଅଭାବ ନାହିଁ ,କିନ୍ତୁ ଲୋକମାନେ ଗାଧୋଇବା ପାଇଁ ପାଣି ନାହିଁ । କେବଳ ବନ୍ୟା ସମୟରେ ଏଥିରେ ଜଳ ପ୍ରବାହିତ ହୁଏ । ଅନ୍ୟ ସମୟରେ କେନାଲରେ ପାଣି ଦେଖିବାକୁ ମିଳେ ନାହିଁ । ଏବେ ଦଳରେ ଭର୍ତ୍ତି ହୋଇ ସବୁଜିମା ବୃଦ୍ଧି କରୁଥିବା ଜମ୍ବୁ କେନାଲରେ ଦିନେ ଛୋଟ ଜାହାଜ (ଷ୍ଟିମର୍) ଚାଲୁଥିଲା, ହେଲେ ଏବେ କେନାଲରେ ସାଇକେଲ ଗଡିପାରୁଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ସାଂସଦ ଏଥି ପ୍ରତି ଦୃଷ୍ଟି ଦେଲେ କେନାଲରୁ ଦଳସଫା ହୋଇ ସବୁଦିନିଆ ପାଣି ଛଡାଯିବାର ବ୍ୟବସ୍ଥା କରାଗଲେ ସ୍ଥାନୀୟ ଜନସାଧାରଣ, ଚାଷ ଓ ଚାଷୀକୂଳ ଉପକୃତ ହୋଇପାରନ୍ତେ। ଗାଧୁଆତୁଠର ମହତ ବି ରହିପାରନ୍ତା ।