ଭୁବନେଶ୍ୱର, ୧୦/୦୯ : ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ନୂଆପଡ଼ାର ଫଳାଫଳ ଓଡ଼ିଶାବାସୀଙ୍କ ମୁଡକୁ ସାମ୍ନାକୁ ଆଣିବ । ନୂଆ ସରକାରର ପୂର୍ବଭଳି ଲୋକପ୍ରିୟତା ରହିଛି ନା ବିରୋଧୀ ଏହା ଭିତରେ ଲୋକଙ୍କ ଭରସା ଜିତିଲେଣି ତାହାର ପ୍ରମାଣ ଦେବ ନୂଆପଡ଼ା ଉପ-ନିର୍ବାଚନ । ୨୦୨୪ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ଦେଖିବ ଓଡ଼ିଶା । ଏହି ନିର୍ବାଚନ ଫଳାଫଳ ସରକାର ଭାଙ୍ଗିବନି କି ଗଢ଼ିବନି । ହେଲେ ୩ ରାଜନୈତିକ ଦଳର ଲୋକପ୍ରିୟତାର ଏସିଡ୍ ଟେଷ୍ଟର ପ୍ରମାଣ ଦେବ ଉପ-ନିର୍ବାଚନ । ଗୋଟିଏ ପଟେ ଲୋକଙ୍କ ସରକାର ଦେବେ ଲୋକପ୍ରିୟତାର ପରୀକ୍ଷା । ଅନ୍ୟପଟେ ବିନା କ୍ଷମତାରେ ଦୀର୍ଘ ୨୫ ବର୍ଷ ପରେ ଉପ-ନିର୍ବାଚନର ସାମ୍ନା କରିବ ବିଜେଡି । ନୂଆପଡ଼ା ଉପ-ନିର୍ବାଚନ ହିଁ କହିବ ନବୀନଙ୍କ ଲୋକପ୍ରିୟତା କମିଛି ନା କାଏମ ଅଛି । କଂଗ୍ରେସ ମଙ୍ଗୁଆଳଙ୍କ ହୋମଗ୍ରାଉଣ୍ଡ ହୋଇଥିବାରୁ ଭକ୍ତଙ୍କ ପାଇଁ ନୂଆପଡ଼ା ଉପ-ନିର୍ବାଚନ ପାଲଟିବ ସମ୍ମାନର ଲଢ଼େଇ । ଏସବୁ ଭିତରେ ଜନ୍ମମାଟିରେ ଦିବଙ୍ଗତ ବିଧାୟକଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଭିନ୍ନ ଦଳର ନେତା । ୨୦୨୪ର ନିର୍ବାଚନରେ ୧୦ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ରାଜେନ୍ଦ୍ର । ସ୍ବାଧୀନ ପ୍ରାର୍ଥୀ ହିଁ ନୂଆପଡା ନିର୍ବାଚନର ଗଣିତକୁ ଓଲଟପାଲଟ କରିଥିଲେ । ଏବେ ରାଜେନ୍ଦ୍ରଙ୍କ ବିୟୋଗ ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ନୂଆପଡା ଉପ-ନିର୍ବାଚନ ହିଁ ଓଡ଼ିଶା ରାଜନୀତିକୁ ନୂଆ ଦିଶାରେ ଆଗକୁ ନେବ । ଶାସକ-ବିରୋଧୀ କାହା ସପକ୍ଷରେ ଏବେ ବହୁଛି ହାୱା, ତାହାର ସଙ୍କେତ ଦେବ ନୂଆପଡ଼ା ଉପ-ନିର୍ବାଚନ ।
