ନୂଆପଡ଼ା ଉପନିର୍ବାଚନ: ପ୍ରଚାର ପାଇଁ ଲୋକ କିଣୁଛନ୍ତି ତିନି ଦଳ

ଭୁବନେଶ୍ୱର, ୦୪/୧୧ : ଆସନ୍ତା ୧୧ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଜେପି, ବିଜେଡି ଓ କଂଗ୍ରେସ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀ ଏବେ ଜୋରଦାର ପ୍ରଚାର କରୁଛନ୍ତି। ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି। ଦଳୀୟ ପ୍ରାର୍ଥୀ ଓ କର୍ମୀ ଦିନରାତି ଏକ କରିଦେଇଛନ୍ତି। ପ୍ରତ୍ୟେକ ଦଳ ପକ୍ଷରୁ ସଭା ସମିତି ସହ ବାଇକ୍‌ ରାଲି କରାଯାଉଛି। ଲୋକଙ୍କୁ ସଭାକୁ ଆଣିବା ପାଇଁ ଦଳୀୟ କର୍ମୀମାନେ ବେଶ୍‌ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଲୋକ କିପରି ସଭାକୁ ଆସିବେ ସେ ନେଇ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଉଛି। ଘରୁ ସଭା ସ୍ଥଳକୁ ଆସିବା ଓ ପୁନଶ୍ଚ ଫେରିବା ପାଇଁ ଗାଡ଼ି ମୋଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏପରି କି ବାଇକ୍‌ରେ ଆସିଲେ ତେଲ ଖର୍ଚ୍ଚ ମଧ୍ୟ ଦିଆଯାଉଛି। ଏହା ବାଦ୍‌ ସଭା କିମ୍ବା ରାଲିରେ ଯୋଗଦେଲେ ଖାଇବାପିଇବା ସହିତ ଜଣ ପିଛା ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆ ଯାଉଥିବା ଟାନୱାଟ ଗ୍ରାମର ଜଣେ ଯୁବକ ପ୍ରକାଶ କରିଛନ୍ତି।

ନୂଆପଡ଼ା ଏକ କୃଷିପ୍ରଧାନ ଅଞ୍ଚଳ। ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ ଧାନ, କପା ଓ ମକା ଆଦି ଚାଷ କରିଥାନ୍ତି। ଏବେ ଧାନ ଅମଳ ସମୟ। ଚାଷୀମାନେ ଧାନ ଅମଳ କରି ଘରକୁ ଆଣୁଛନ୍ତି। ଏପରି ସମୟରେ ଉପନିର୍ବାଚନ ହେଉଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ପକ୍ଷରୁ ସମାବେଶ ଓ ରାଲି ଆୟୋଜକ କରାଯାଉଛି। ଏଥିପାଇଁ ଲୋକଙ୍କ ଆବଶ୍ୟକ ହେଉଛି। ଯେହେତୁ ଚାଷ ଅମଳର ସମୟ ତେଣୁ ଲୋକେ ସଭାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଲୋକଙ୍କୁ ଆଣିବା ପାଇଁ ସେମାନଙ୍କ ପଛରେ ଖର୍ଚ୍ଚ କରିବାକୁ ପଡୁଛି। ଗତ ରବିବାର କଂଗ୍ରେସର ଏକ ବାଇକ୍‌ ରାଲି କରାଯାଇଥିଲା। ଏହା ଟାନୱାଟ ଛକରୁ ଆରମ୍ଭ ହୋଇ ଖରିଆର ରୋଡ୍‌ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପ୍ରାୟ ୫ ଶହରୁ ଅଧିକ ବାଇକ୍‌ ଆସିଥିଲା। ଏମାନଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦିଆଯାଇଥିବା ଦିଆମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି।

କୋମନା ବ୍ଲକର ତରବୋଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସମାବେଶରେ ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ସମାଗମ ହୋଇଥିବା କୁହାଯାଇଥିଲା। ଏହି ସମାବେଶକୁ ଆସିଥିବା ଲୋକଙ୍କୁ ଜଣପିଛା ୨ଶହ ଟଙ୍କା ଦେଇ ଗାଡ଼ିରେ ଅଣାଯାଇଥିବା ଝଗ୍ରାହି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି। ଅନୁରୂପ ଭାବେ ନବୀନଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ମଧ୍ୟ ସମାନ ଢଙ୍ଗରେ ଏହାର ନିକଟସ୍ଥ ଗାଁଗୁଡିକରେ ସଭା ସମିତି ଆୟୋଜନ କରି ଲୋକଙ୍କୁ ଖାଇବା ପିଇବା ଦେଇ ଜଣ ପିଛା ଟଙ୍କା ମଧ୍ୟ ଦେଇଥିବା ତରବୋଡ଼ ଗ୍ରାମର ଜଣେ ମହିଳା ପ୍ରକାଶ କରିଛନ୍ତି। ଭାଜପା ଲୋକଙ୍କୁ ବିଭିନ୍ନ ସଭା ଓ ରାଲିକୁ ଆଣିବାକୁ ଜଣ ପିଛା ୨ଶହରୁ ୫ଶହ ଟଙ୍କା ଦେଉଥିବା ଭାଲଟୁକୁରୀ ପଞ୍ଚାୟତ ସରାଇପାଲି ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି।