ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି ) ସୋମବାର ବିଧିବଦ୍ଧ ଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସବୁ ଅପେକ୍ଷାର ଅନ୍ତ ଘଟାଇ ଏହି ନାମକରଣ କରାଯାଇଛି। ସୂତ୍ର ଅନୁଯାୟୀ, ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଜୟ ନାମାଙ୍କନ କାଗଜ ଦାଖଲ କରିବେ।
ଅନ୍ୟପଟେ ବିଜେଡିରେ ପ୍ରାର୍ଥୀ ଚୟନ ଉପରେ ଚର୍ଚ୍ଚା ଜାରି ରହିଛି। ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ଚାଲୁଛି। ଏଥିରେ ସାନ୍ତ୍ୱନା ଦାସ, ସ୍ନେହାଙ୍ଗିନୀ ଛୁରିଆଁ, ଟୁକୁନୀ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ସେଠାରେ ପହଞ୍ଚିଛନ୍ତି ବୋଲି ଜଣାପଡ଼ିଛି।
ତେବେ ସେପ୍ଟେମ୍ବର ୮ରେ ସେତେବଳେ ବିଜେଡି ନେତା ଓ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଆସନ ଖାଲି ହୋଇଯାଇଥିଲା। ତାଙ୍କ ପୁତ୍ର ଜୟ ପୂର୍ବରୁ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚିହ୍ନାଯାଉଥିଲେ। କିନ୍ତୁ ୧୧ ଅକ୍ଟୋବରରେ ସେ ବିଜେପିରେ ଯୋଗ ଦେଇଥିଲେ, ଯାହା ବିଜେଡି ପାଇଁ ବଡ଼ ଝଟକା । ଏହା ପରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଜୟଙ୍କ ନାମକୁ ଅନୁମୋଦନ ଦେଇଛି।ନୂଆପଡ଼ା ଉପନିର୍ବାଚନ ୧୧ ନଭେମ୍ବରରେ ହେବ। ନାମାଙ୍କନ ଦାଖଲ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହା ଓଡ଼ିଶାରେ ବିଜେପି ସରକାରଙ୍କ ପାଇଁ ପ୍ରଥମ ଉପନିର୍ବାଚନ, ଯାହା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
