ନୂଆପଡ଼ା,୯/୧୦ : (ଓଡିଶା ଖବର ) – ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୂଡାନ୍ତ ଭୋଟର୍ ତାଲିକା ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ, ନୂଆପଡା ବିଧାନ ସଭା ମଣ୍ଡଳୀ -୭୧ ନୂଆପଡା, ୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଏଥିପାଇଁ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନ ଘୋଷଣା କରାଯାଇଛି। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି କହିଲେ ଯେ ଏହି ନିର୍ବାଚନ ମଣ୍ଡଳୀ ରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି।
ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨,୫୩,୬୨୪। ସେଥିରୁ ପୁରୁଷ ଭୋଟର ସଂଖ୍ୟା ୧,୨୪,୧୦୮ ,ମହିଳା ଭୋଟର ସଂଖ୍ୟା ୧,୨୯,୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ। ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ଯୁବା ଭୋଟର୍ ୯୪୨୯ ଏଵଂ ଦିବ୍ୟାଙ୍ଗ ଭୋଟର୍ ୩,୯୮୮ ଜଣ ଅଛନ୍ତି।
