ଆସନ୍ତା ୯ରେ ବାରବାଟୀରେ ଦ.ଆଫ୍ରିକା-ଭାରତ ଟି -20 ମ୍ୟାଚ୍ : ଗ୍ୟାଲେରୀରେ ୩ ହଜାର ସିଟ କମିବ

ଭୁବନେଶ୍ୱର, ୨୮/୧୧ : ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ୍ ପାଇଁ ବାରବାଟୀରେ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା ହୋଇଛି । ବିଦ୍ଯୁତ ବିଭ୍ରାଟ ନହେବା ପାଇଁ OCA ପକ୍ଷରୁ ବିଶେଷ ବ୍ଯବସ୍ଥା କରାଯାଇଛି । ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ୟାଲେରୀରେ ୩ ହଜାର ସିଟ କମିବ । ଏନେଇ ପ୍ରତିକ୍ରିୟା ରଖିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସିଟ ସଂଖ୍ୟା ହ୍ରାସ କରିବା ନେଇ କମିଶନରେଟ ପୋଲିସର ପରାମର୍ଶ ଥିଲା । ମହିଳାଙ୍କ ପାଇଁ କାଉଣ୍ଟରରେ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ । ଟିକେଟ କିଣିବା ପାଇଁ ଉଭୟ ପ୍ରବେଶ-ପ୍ରସ୍ଥାନ ଦ୍ବାର ରହିବ। ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଏଥର ଆଠଟି ଫ୍ଲଡ୍ ଲାଇଟ ଏବଂ ୧୮ଟି ଜେନେରେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଫ୍ଲଡ୍ ଲାଇଟ୍ ପାଇଁ ଦୁଇଟି ଡିଜି। ବ୍ୟାକ ଅପ୍ ପାଇଁ ରହିଛି ଅନ୍ୟ ଦୁଇଟି ଅତିରିକ୍ତ ଡିଜି ସେଟ୍ । ପ୍ରତି ଡିଜିର କ୍ଷମତାକୁ ବୃଦ୍ଧି କରି ଚାରିଶହ କେ.ଭି କରାଯାଇଛି । କୌଣସି ଏଲଇଡିରେ ସମସ୍ୟା ସୃଷ୍ଟି ହେଲେ, ତୁରନ୍ତ କଣ୍ଟ୍ରୋଲ ରୁମ ପାଖରେ ପହଞ୍ଚିବ ସୂଚନା। ପ୍ରଥମ ଥର ପାଇଁ ଫ୍ଲଡ୍ ଲାଇଟ୍ ଗୁଡ଼ିକରେ ଡି.ଏମ.ଏସ୍ ଆଲୋକିକରଣ ବ୍ୟବସ୍ଥା କରାଯାଉଛି । କନ୍ସର୍ଟ ଭଳି ବାତାବରଣ ସୃଷ୍ଟି କରିବ ଏହି ଅତ୍ୟାଧୁନିକ ବ୍ୟବସ୍ଥା। ଉଭୟ ଟିମର ଖେଳାଳିଙ୍କୁ ଏହି ଲାଇଟ୍ ମାଧ୍ୟମରେ ସ୍ବାଗତ କରାଯିବ ।