ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କଲା ‘ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ’

ଭୁବନେଶ୍ବର,୩୧/୩ : ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି।

ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ। ‌ଓସିପିଏଲ୍‌ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ଓସିପିଏଲ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି। ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ୍ ଏବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟଠାରୁ ଅଧିକ କୋଇଲା ଉତ୍ପାଦନ କରିଛି। ଏହି କୋଇଲା ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିଛି। ଓସିପିଏଲ୍, ସୁନ୍ଦରଗଡ ଜିଲ୍ଲାର ମହିଳା ଏବଂ ଯୁବଗୋଷ୍ଠୀମାନଙ୍କର ସଶକ୍ତିକରଣ ପାଇଁ ବିଭିନ୍ନ ପନ୍ଥା ମାଧ୍ୟମରେ ନିରନ୍ତର ଉଦ୍ୟମ ଜାରି ରଖିଛି।