ଦୁଇ ଓଡିଆଙ୍କ ବେକରେ ଝୁଲିଲା ପ୍ରଥମ ହକି ଅଲିମ୍ପିକ୍ସ ମେଡାଲ୍

ଭୁବନେଶ୍ୱର,୮/୫: ଓଡିଶା ପାଇଁ ଗୌରବମୟ ମୁହୂର୍ତ୍ତ । ପ୍ରଥମ ଥର ପାଇଁ ଓଡିଆଙ୍କୁ ମିଳିଛି ଅଲିମ୍ପିକସ୍ ହକି ମେଡାଲ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ବିଜୟ ପଛରେ ରହିଛି ଦୁଇ ଓଡିଆ ଡିଫେଣ୍ଡର- ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ବଡ଼ ଭୂମିକା । ହକିରେ ଏହା କେବଳ ଦେଶ ପାଇଁ ୪୧ବର୍ଷର ମେଡାଲ ମରୁଡି ଦୂର କରିନାହିଁ, ପ୍ରଥମଥର ପାଇଁ ଦୁଇ ଓଡିଆଙ୍କୁ ମିଳିଛି ହକି ଅଲିମ୍ପିକସ୍ ମେଡାଲ ।

ଅଲିମ୍ପିକସ୍ ମେଡାଲ ପାଇଁ ଗତ ୪୧ ବର୍ଷ ଧରି ଥିବା ଲମ୍ବା ଅପେକ୍ଷାର ଅନ୍ତ ହୋଇଛି । ଶକ୍ତିଶାଳୀ ଜର୍ମାନକୁ ହରାଇ ଭାରତୀୟ ଟିମ୍ ହାସଲ କରିଛି ବ୍ରୋଞ୍ଜ । ଯେଉଁ ମୁହୂର୍ତ୍ତ ପାଇଁ ସାରା ଦେଶ ଅପେକ୍ଷା କରିଥିଲା, ସେହି ସଫଳତାର କାହାଣୀ ପଛରେ ରହିଛି ଦୁଇ ଓଡିଆଙ୍କ ଯାଦୁକରୀ ହାତ। ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ୍ । ହକିର ଗଡ ସୁନ୍ଦରଗଡର ଏହି ଦୁଇ ଡିଫେଣ୍ଡର, ଭାରତୀୟ ଟିମ୍‌କୁ ପ୍ରତିପକ୍ଷ ପାଇଁ ଅଭେଦ୍ୟ ବନାଇ ଦେଇଥିଲେ । ବୀରେନ୍ଦ୍ର ଲାକ୍ରାଙ୍କର ଏହା ଥିଲା ଦ୍ବିତୀୟ ଅଲିମ୍ପିକସ୍ ଏବଂ ଅମିତ ରୋହିଦାସଙ୍କର ପ୍ରଥମ ଅଲିମ୍ପିକସ୍ । ବ୍ରୋଞ୍ଜ ବିଜୟ ପରେ ଦୁଇ ଓଡିଆଙ୍କୁ ମିଳିଛି ସାବାସୀ ଏବଂ ଶୁଭେଚ୍ଛା ।

ପ୍ରଥମ ଓଡିଆ ହକି ତାରକା ଭାବରେ ଦିଲ୍ଲୀପ ତିର୍କୀ ୧୯୯୬ ଆଟାଲାଣ୍ଟାରେ ଖେଳିଥିଲେ । ଏହାପରେ ଭାରତୀୟ ଅଲିମ୍ପିକ ଟିମ୍‌ରେ ଲାଜରୁସ୍ ବାର୍ଲା, ୱିଲିୟମ୍ ଖାଲକୋ, ଇଗ୍ନେଶ ତିର୍କୀଙ୍କ ଭଳି ହକି ତାରକା ଦେଶ ପାଇଁ ଖେଳିଥିଲେ । ଏହି ଧାରାକୁ ଆହୁରି ଆଗକୁ ନେଇ ବୀରେନ୍ଦ୍ର ଏବଂ ଅମିତ ଓଡିଶା ହକି ପାଇଁ ଲେଖିଛନ୍ତି ସ୍ବର୍ଣିମ ଇତିହାସ । ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପରିବାରରେ ଖୁସିର ଲହର ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ ପରିବାର ସହ କଥା ହୋଇ ବଧାଇ ଜଣାଇଛନ୍ତି । ଅମିତଙ୍କ ମାଆ କହିଛନ୍ତି, ଦେଶ ପାଇଁ ପୁଅ ଗର୍ବ ଆଣିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସାକାର ହୋଇଛି । ସେପଟେ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲରେ ସେଲିବ୍ରେସନ୍ ହୋଇଛି । ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଓଡିଶା ପାଇଁ ପ୍ରାଇଡ୍ ମୁମେଣ୍ଟସ୍ ଆଣିବା ସହ ଯୁବ ଖେଳାଳିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

 

Comments are closed.