ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୦୪/୦୪ : ଆଜି ସନ୍ଧ୍ୟା ୬ଟାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭାବନରେ ଅନୁଷ୍ଠିତ ହେବ। ଏହି ବୈଠକକୁ ନେଇ ପ୍ରଶାସନିକ ମହଲ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ବଢ଼ିଛି। ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ଆଲୋଚନା ହୋଇପାରେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପୂର୍ତ୍ତ ବିଭାଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିବା ସୂଚନା ମିଳିଛି। ତେବେ କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳିବ, ସେନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି, ମିଳୁଥିବା ସୂଚନା ଅନୁଯାୟୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିପାରେ। ଏହି ବୈଠକରେ ରାଜ୍ୟର ଉନ୍ନତି, ପ୍ରଶାସନର ଦକ୍ଷତା ବୃଦ୍ଧି ଓ ଲୋକସେବାକୁ ସୁଦୃଢ କରିବା ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ବିଶେଷ କରି ଗମନାଗମନ ଓ ପୂର୍ତ୍ତ ବିଭାଗର ପ୍ରସ୍ତାବଗୁଡ଼ିକ ଗୁରୁତ୍ୱ ରଖିବ। ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ନୂତନ ପଦକ୍ଷେପ ଆସିପାରେ, ଯାହା ଲୋକମାନଙ୍କୁ ଭଲ ସୁବିଧା ଦେବାକୁ ସହାୟକ ହେବ। ତେବେ ମୋଟ ଉପରେ କହିବାକୁ ଗଲେ ଆଜିର କ୍ୟାବିନେଟ ବୈଠକ ରାଜ୍ୟର ଆଗାମୀ ଉନ୍ନତି ଦିଗକୁ ନୂତନ ଗତି ଦେଇପାରେ।