କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ପରେ ଓଡ଼ିଶାର ଗୁରୁତ୍ବ ବଢ଼ିଲା

ଭୁବନେଶ୍ବର,୮/୭ : କେନ୍ଦ୍ରରେ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଏହି ପରିବର୍ତ୍ତିତ କଳେବର ଓଡ଼ିଶା ବିଜେପିର ସାଂଗଠନିକ ସ୍ଥିତିକୁ କିପରି ନେବ, ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ପରିବର୍ତ୍ତନରେ କେନ୍ଦ୍ରରେ ଓଡ଼ିଶାର ଗୁରୁତ୍ବ ବଢ଼ିଛି। ସରକାରରେ ସବୁଠାରୁ ଓଜନିଆ ତଥା ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ କୁହାଯାଉଥିବା ‘ରେଳବାଇ’ ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯାଇଛି। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା ନେଇ ବହୁ ବର୍ଷ ହେଲା ପ୍ରତିବାଦର ସ୍ବର ଶୁଭୁଥିଲା ବେଳେ ଏବେ ଓଡ଼ିଶାର ଆଶା ବଢ଼ିବା ସ୍ବାଭାବିକ। ଏହି ଆଶାକୁ କେନ୍ଦ୍ର କେତେ ଦୂର ପୂରଣ କରିପାରୁଛି, ତାହା ଉପରେ ବିଜେପିର ଭବିଷ୍ୟତ ବି ଅନେକ ମାତ୍ରାରେ ନିର୍ଭର କରିବ। ତେବେ ବିଜେପିର ଭୋଟ୍ ବ୍ୟାଙ୍କ କୁହାଯାଉଥିବା ପଶ୍ଚିମ ଓଡ଼ିଶାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବର ସୁଯୋଗ ମିଳି ନ ଥିବାରୁ ଦଳ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ଅସଙ୍ଗତି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ରାଜନୈତିକ ଉତ୍‌ଥାନ ବେଶ୍ ଉଲ୍ଲେଖନୀୟ। ଓଡ଼ିଶା କ୍ୟାଡର୍‌ର ଏହି ଆଇଏଏସ୍ ଅଫିସର୍ କମ୍ ବୟସରୁ ଚାକିରି ଛାଡ଼ି ପ୍ରଥମେ ବ୍ୟବସାୟ ଜଗତରେ ଜଣେ ଜଣାଶୁଣା ନାମ ଥିଲେ। ଦୁଇ ବର୍ଷ ତଳେ ବିଜେପିରେ ଯୋଗ ଦେଇ ସିଧାସଳଖ ଓଡ଼ିଶାରୁ ରାଜ୍ୟସଭାକୁ ମନୋନୀତ ହେଲେ। ସେ ବିଜେପିର ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ କରିଥିଲା। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ବୈଷ୍ଣବ ପରବର୍ତ୍ତୀ ସମୟରେ ବିଜେପିର ନୂଆ ନେତୃତ୍ବଙ୍କର ମଧ୍ୟ ବିଶ୍ବାସଭାଜନ ହୋଇପାରିଥିଲେ। ଫଳରେ ରାଜନୀତିରେ ପାଦ ଦେବାର ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ରେ ସୁଯୋଗ ପାଇ ରେଳବାଇ ମନ୍ତ୍ରଣାଳୟ ପାଇବା ଏକ ବଡ଼ ଉପଲବ୍ଧି। ପୂର୍ବରୁ ଓଡ଼ିଶାରୁ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ଓ ଭକ୍ତ ଚରଣ ଦାସ ରେଳବାଇର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶା ସାଂସଦଙ୍କୁ ରେଳବାଇର କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଶ୍ରୀ ବୈଷ୍ଣବଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି। ତାଙ୍କ ପ୍ରଦର୍ଶନ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ ଉପରେ ରାଜ୍ୟ ରାଜନୀତିର ନୂଆ ସମୀକରଣ ନିର୍ଭର କରୁଛି। ଶ୍ରୀ ବୈଷ୍ଣବଙ୍କୁ ରେଳବାଇ ସହ କମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ସ ଓ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ ଦାୟିତ୍ବ ମଧ୍ୟ ମିଳିଛି।

ମୋଦୀ କ୍ୟାବିନେଟ୍‌ରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ତାଙ୍କ ବିଭାଗ ବଦଳାଯାଇଛି। ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରଣାଳୟ ବଦଳରେ ତାଙ୍କୁ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦିଆଯାଇଛି। ପୂର୍ବରୁ ସେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ବରେ ଦୁଇ ବର୍ଷ ରହିଥିଲେ। ଶିକ୍ଷା କ୍ଷେତ୍ରରେ ଶ୍ରୀ ପ୍ରଧାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ବର୍ତ୍ତମାନର କରୋନା ମହାମାରୀ ସମୟରେ ଶିକ୍ଷା କ୍ଷେତ୍ରରେ ବହୁ ଆହ୍ବାନ ସୃଷ୍ଟି ହୋଇଛି। ଏହି ଆହ୍ବାନକୁ ମୁକାବିଲା କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣି ଯୁବ ସମାଜକୁ ବାଟ ଦେଖାଇବା ଶ୍ରୀ ପ୍ରଧାନଙ୍କ ପାଇଁ ପ୍ରମୁଖ କାର୍ଯ୍ୟ ହେବ। ତେବେ ମୋଦୀ ସରକାର କେନ୍ଦ୍ରରେ ପ୍ରତିଷ୍ଠା ହେବା ପର ଠାରୁ ରାଜ୍ୟ ବିଜେପିର ଚେହେରା ପାଲଟିଥିବା ଶ୍ରୀ ପ୍ରଧାନଙ୍କ ପ୍ରଭାବ ରାଜ୍ୟ ସଂଗଠନ ଉପରେ ଅତୁଟ ରହିବାରେ କୌଣସି ସମସ୍ୟା ସୃଷ୍ଟି ହୋଇ ନ ପାରେ।