ଭୁବନେଶ୍ୱର, ୧୧/୧୨ : ଆଜି ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ୪୨୫ କୋଟି ଟଙ୍କାର ନୂତନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦୬୩ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂତନ ସରକାର ଆସିବା ପରେ ପ୍ରାୟ ୩୮ ହଜାର ଜଣଙ୍କୁ ନିଯୁକ୍ତି ମିଳି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ଓୟୁଏଟି ଓଡ଼ିଶା କୃଷି ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଜଳ ସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସ୍ୱପ୍ନକୁ ସାକାର କରିବାକୁ ହେଲେ ଦିନରାତି ବହୁତ କଠିନ ପରିଶ୍ରମ ଏବଂ ଉଦ୍ୟମ କରିବାକୁ ପଡ଼େ । କେବଳ ସ୍ୱପ୍ନ ଦେଖିଲେ ସାକାର ହୁଏ ନାହିଁ, ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଗୀତାର ଏକ ଶ୍ଳୋକକୁ ଉଦ୍ଧୃତ କରିଥିଲେ । ବିକଶିତ ଭାରତର ବିକାଶର ଦ୍ୱାର ହେବ ପୂର୍ବ ଭାରତ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା । ଆମକୁ ରେଳ ଇଞ୍ଜିନ ହୋଇ ବିକାଶର ରେଳକୁ ଆଗକୁ ବଢ଼ାଇବାକୁ ପଡ଼ିବ । ସେଥିପାଇଁ ମାନବ ସମ୍ବଳର ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ମିଳିବ । ପ୍ରଥମ ୧୬ ମାସରେ ୧୨ଟି ନିଯୁକ୍ତି ମେଳା ଜରିଆରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି । ଆଜି ୧୩ତମ ନିଯୁକ୍ତି ମେଳାରେ ଆଉ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି । ତେଣୁ ଏହାକୁ ମିଶାଇ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ମିଳିଛି । ସରକାର ଗତିକୁ ବଢ଼ାଇବାକୁ ଏବଂ ବଜେଟକୁ ପୂର୍ଣ୍ଣ ମାତ୍ରାରେ ଖର୍ଚ୍ଚ କରିବାକୁ ଏହା ସହାୟକ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସମ୍ପଦ ବିଭାଗ ଅନୁ ଗର୍ଗ ଏବଂ ନଗର ଉନ୍ନୟନ ବିଭାଗର ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।