ଭୁବନେଶ୍ୱର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ ସମାବେଶ ଆୟୋଜିତ ହୋଇଯାଇଛି । ପ୍ରଥମେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ଦେଇ ମାଷ୍ଟରକ୍ୟାଂଟିନ ସ୍ଥିତ କଂଗ୍ରେସ ଭବନକୁ ଆସିଥିଲା । ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର ଉଦ୍ବୋଧନ ଦେଇ କହିଥିଲେ ଯେ ଛାତ୍ର କଂଗ୍ରେସ ହିଁ ପରିସ୍ଥିତିର ପରିବର୍ତନ କରିପାରିବ । ରାଜ୍ୟର ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରର ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ଶାଣିତ ସ୍ୱର ଉତୋଳନ କରିବା ପାଇଁ ସେ ଛାତ୍ର କଂଗ୍ରେସକୁ ଉପଦେଶ ଦେଇଥିଲେ । ସେ ନିଜର ଛାତ୍ର କଂଗ୍ରେସ ରାଜନୀତି ସମୟର ସଂଗ୍ରାମର ଅଭିଜ୍ଞତାକୁ ପ୍ରକାଶ କରି କହିଥିଲେ ଯେ ଆଜି କଂଗ୍ରେସରେ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ଏବଂ ନାମୀନେତାମାନେ ଛାତ୍ର କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଛନ୍ତି । ସେ କହିଥିଲେ ଯେ ନବୀନ ବାବୁଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡିଶାରେ କଂଗ୍ରେସ ହୀରାକୁଦ ଡ୍ୟାମ, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ନାଲ୍କୋ ପ୍ରଭୃତି ଅନେକ ଆଖିଦୃଶିଆ ପ୍ରତିଷ୍ଠାନ କରିଥିବା ବେଳେ ବିଜେଡି ୨୦ ବର୍ଷ ଧରି ଲୋକଙ୍କୁ ଲୁଣ୍ଠନ ଓ ଶୋଷଣ କରୁଛି । ଅନ୍ୟ ପକ୍ଷରେ ମୋଦି ସରକାର ଏକ କୃଷକବିରୋଧ କୃଷି ନୀତି ପ୍ରଣୟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଛାତ୍ର କଂଗ୍ରେସକୁ ରାଜ୍ୟରେ ସୁସଂଗଠିତ ଓ ଏକ ପ୍ରଭାବୀ ସଂଗଠନରେ ପରିଣତ କରାଯିବ । ଯୁବ ବିଜେଡି ସମାବେଶରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ବିଜୁବାବୁ ଓ ନବୀନବାବୁ ଓଡିଶା ପାଇଁ କିଛି କରିନାହାନ୍ତି । ପାରାଦ୍ୱୀପ ଏବଂ ହାଇୱେ ଏକ୍ସପ୍ରେସ୍ ବିଜୁ ବାବୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲା ବେଳେ ହୋଇଥିଲା । ପରବର୍ତୀ ସମୟରେ ବିଜୁବାବୁ କ୍ଷମତାସୀନ ହୋଇଥିଲେ ମଧ୍ୟ ଓଡିଶାର ବିକାଶ ପାଇଁ ଦୃଷ୍ଟାନ୍ତମୂଳକ କାର୍ୟ୍ୟ କରିବା ପାଇଁ ସକ୍ଷମ ହୋଇପାରିନାହାନ୍ତି । ୨୦ ବର୍ଷର ନବୀନ ପଟ୍ଟନାୟକ ସରକାର ଓଡିଶାକୁ ରସାତଳଗାମୀ କରିଛି । କରୋନା ମୁକାବିଲାରେ ଏ ସରକାର ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୨ ଲକ୍ଷ ନିଯୁକ୍ତି ଦେବେ । ମାତ୍ର ସେ ତାଙ୍କର ପ୍ରତିଶ୍ରୁତି ପାଳନ କରିପାରିନାହାନ୍ତି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କାରଖାନା ବା ଶିଳ୍ପ ପ୍ରତିଷ୍ଠା କରିବେ କ’ଣ କଂଗ୍ରେସ ସମୟରେ ପ୍ରତିଷ୍ଠା କରାଯାଇଥିବା ସମସ୍ତ ବୃହତ୍ ଓ ମଧ୍ୟମ ଶିଳ୍ପକୁ ବନ୍ଦ କରିଦେଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ କମ୍ପନ ସମାବେଶର ବାର୍ତା ଓଡିଶାର ପୁରପଲ୍ଲୀରେ ପ୍ରତିଧ୍ୱନିତ ହେବ । ଉଭୟ ନବୀନ ସରକାର ଓ ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବାକୁ ଛାତ୍ର କଂଗ୍ରେସ ସଂକଳ୍ପବଦ୍ଧ । ସେ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ଛାତ୍ର ଓ ଯୁବ ସମାଜକୁ ପ୍ରତାରିତ କରିଛନ୍ତି । ଓଡିଶାରେ ୨୦ ବର୍ଷରେ ୪୦ ଲକ୍ଷ ବେକାର ଯୁବକ ଯୁବତୀ ଏବଂ ଭାରତରେ ୪୦ କୋଟି ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ରାଜରାସ୍ତାରେ ଚିତ୍କାର କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ବେସରକାରୀ ସ୍କୁଲ ମାଲିକମାନଙ୍କ ସାଙ୍ଗରେ ହାତ ମିଳାଇ ଆଜି ୧୪ ହଜାର ସ୍କୁଲ ବନ୍ଦ କରିବାର ନିଷ୍ପତି ନେଇଛନ୍ତି । ଓଡିଶାର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ସ୍କୁଲ ଅଛି ଶିକ୍ଷକ ନାହାନ୍ତି । କରୋନା ସମୟରେ ଅଭିଭାବକମାନେ ସ୍କୁଲ ଫି ଦେବା ପାଇଁ ସମର୍ଥ ହୋଇପାରୁନଥିବା ବେଳେ ବେସରକାରୀ ସ୍କୁଲର ମାଲିକମାନେ ଅଭିଭାବକମାନଙ୍କ ତଂଟି ଚିପି ଅର୍ଥ ଆଦାୟ କରୁଛନ୍ତି, ମାତ୍ର ମୁଖ୍ୟମନ୍ତ୍ରୀ ସେମାନଙ୍କ ହାତରେ ସଖୀ କଣ୍ଢେଇ ସାଜିଛନ୍ତି । ଶ୍ରୀ ନୱାଜ କହିଥିଲେ ଯେ ସେ ମୟୁରଭଞ୍ଜରୁ ମାଲକାନାଗିରି ପର୍ୟ୍ୟନ୍ତ ଗସ୍ତ କରିବେ । ଛାତ୍ରମାନଙ୍କର ପରିସ୍ଥିତି ସଂପର୍କରେ ବୁଝିବେ ଏବଂ ଛାତ୍ର କଂଗ୍ରେସର କର୍ମକର୍ତାମାନେ ପଂଚାୟତ, ବ୍ଲକ, ଜିଲ୍ଲା ଓ ସଚିବାଳୟ ସ୍ତରରେ ହେଉଥିବା ଦୁର୍ନୀତିର ଦୃଢ଼ ପ୍ରତିବାଦ କରିବେ । ଯଦି ଛାତ୍ରମାନଙ୍କର ସ୍ୱାର୍ଥ ସାଧନ ଆନ୍ଦୋଳନରେ ତାଙ୍କୁ କାରାବରଣ କରିବାକୁ ପଡେ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।