ଭୁବନେଶ୍ୱର, ୩୧/୦୮ : ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା T20 ଲିଗ୍ CM ଟ୍ରଫି’। ସେପ୍ଟେମ୍ବର ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ମୋଟ ୬ଟି ଫ୍ରାଞ୍ଚାଇଜି ଟିମ୍ ମୈଦାନକୁ ଓହ୍ଲାଇବେ। ରାଜ୍ୟର ଉଦୀୟମାନ ତଥା ଯୁବ କ୍ରିକେଟ୍ ପ୍ରତିଭାଙ୍କୁ ଏକ ବଡ଼ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଏହି କ୍ରିକେଟ୍ ମହାକୁମ୍ଭର ଆୟୋଜନ କରାଯାଉଛି। ଏହି ଲିଗ୍ ଜରିଆରେ ଓଡ଼ିଶାର ଅନେକ ପ୍ରତିଭାବାନ ଯୁବ କ୍ରିକେଟର ରାଜ୍ୟର ଶ୍ରେଷ୍ଠ ପ୍ରତିଭାଙ୍କ ବିରୋଧରେ ଖେଳି ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ମ୍ୟାଚ୍ ଅଭିଜ୍ଞତା ହାସଲ ସହ କ୍ରିକେଟ୍ ଯାତ୍ରାରେ ଆଗକୁ ବଢ଼ିବା ପାଇଁ ଏହା ଖେଳାଳିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ। କେବଳ ପଡ଼ିଆରେ ପ୍ରତିଯୋଗିତା ନୁହେଁ, ଓଡ଼ିଶା କ୍ରିକେଟ୍ ଏବଂ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ୍ କରିବା ସହ ଫ୍ୟାନ୍ ବେସ୍ ବଢ଼ାଇବା ଏହି ଲିଗର ଅନ୍ୟତମ ଲକ୍ଷ୍ୟ। ଘରୋଇ କ୍ରିକେଟ୍ କ୍ୟାଲେଣ୍ଡରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଟୁର୍ନାମେଣ୍ଟରେ ୧୦ ଦିନ ଧରି ଦର୍ଶକଙ୍କୁ ରୋମାଞ୍ଚକର T20 କ୍ରିକେଟ୍ ଦେଖିବାକୁ ମିଳିବ।