ନିଲାମ ହେବ ଓଡ଼ିଶାର ୩୪ଟି ଖଣି, ଆସନ୍ତା ଆର୍ଥିକ ବର୍ଷରେ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୨୩/୦୩ : ନିଲାମ ହେବ ଓଡ଼ିଶାର ୩୪ଟି ଖଣି । ଲୁହାପଥର, ବକ୍ସାଇଟ୍‌, ଲୁହାପଥର ଓ ମାଙ୍ଗାନିଜ, ଚୂନପଥର, ମାଙ୍ଗାନିଜ, ତମ୍ବା, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ । ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି । ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ । ଖଣି ଓ ଖଣିଜ ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍‌ ମିନେରାଲ ଖଣି ।ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଥିବା ନେଇ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଓ କେନ୍ଦୁଝର ଜିଲ୍ଲାର ଜଳଡିହ ସୁନା ଖଣିର ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି । ଦେବଗଡ଼ର ଅଡସ-ରାମପଲ୍ଲୀରେ ଠାବ କରାଯାଇଥିବା ସୁନା ଖଣିର ମଧ୍ୟ ନିଲାମ କରାଯିବ । ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍‌ ଖଣି, ବଲାଙ୍ଗୀରରେ ଭାନାଡିୟମ, ଦେବଗଡ଼ରେ ସୁନା ଓ ମାଲାକାନଗିରିରେ ଟିଣ ଖଣି ନିଲାମ କରାଯିବ । ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରିବା ସହ ଅନୁସନ୍ଧାନ କରିଛନ୍ତି । ୨୦୨୩ ପରଠାରୁ ରାଜ୍ୟରେ ଖଣି ନିଲାମ ହୋଇନଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ କରିଥିଲେ । ସେଥିରୁ ୮ଟି ଖଣି ନିଲାମ ହୋଇଛି ।