ଭୁବନେଶ୍ବର, ୧୯/୦୩ : କୋଟି କୋଟି ଟଙ୍କା ହରିଲୁଟ୍ ମାମଲାରେ ବ୍ୟାଙ୍କ ମ୍ୟାନେଜର ପୁଅ ଓ ଅବସରପ୍ରାପ୍ତ ଶିକ୍ଷକ ବାପା ଗିରଫ । ବାପ-ପୁଅ ମିଶି କରିଥିଲେ କୋଟି କୋଟି ଟଙ୍କା ଆତ୍ମସାତ୍ । ଓଡ଼ିଶା ଭିଜିଲାନ୍ସ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିଥିବା ଅଭିଯୋଗରେ ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ (ଭଦ୍ରକ)ର ଶାଖା ପରିଚାଳକ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଛନ୍ତି । ବାପା ପ୍ରଦୀପ କୁମାର ମହାନ୍ତିଙ୍କ ହାତ ରହିଛି। ପ୍ରଦୀପ କୁମାର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ସେ କୋରେଇ BEO ଅଫିସରେ ପୁନଃ-ନିଯୁକ୍ତି ପାଇ କାମ କରୁଥିଲେ। ପ୍ରଦୀପ କୁମାର ବେଆଇନ ଭାବେ HRMS ପୋର୍ଟାଲ୍ ବ୍ୟବହାର କରିଥିଲେ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରିଥିଲେ। ସେହି ଅବସରପ୍ରାପ୍ତ ଶିକ୍ଷକମାନେ ଏବେ ବି ଚାକିରି କରୁଛନ୍ତି ବୋଲି ମିଛ ରେକର୍ଡ ଦେଖାଇ ସେମାନଙ୍କ ନାଁରେ ମାସିକ ପେନ୍ ସନ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏହି ଜାଲିଆତି ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୬ ବର୍ଷ ଧରି ଚାଲିଥିଲା। କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।