ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ହେବ ଓଜେଇଇ

ଭୁବନେଶ୍ୱର, ୯/୮ : ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଓଡିଶା ଯୁଗ୍ମ ପ୍ରବେଶିକା (ଓଜେଇଇ) ପରୀକ୍ଷା କରିବା ପାଇଁ ଓଜେଇଇ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। କରୋନା ମହାମାରୀ କଟକଣା ଯୋଗୁ ଓଜେଇଇ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରବେଶିକା ପରୀକ୍ଷା ହୋଇନଥିଲା। କଟକଣା ଯୋଗୁଁ ଜାତୀୟସ୍ତରରେ ଜେଇଇ ମେନ୍‍ ଓ ନିଟ ପରୀକ୍ଷା ହୋଇନାହିଁ। ପ୍ରତିବର୍ଷ ଜେଇଇ ମେନ ଓ ନିଟ ପରୀକ୍ଷା ସରିବା ପରେ ଓଜେଇଇ ପରୀକ୍ଷା ହୋଇଥାଏ। ତେବେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ଏବଂ ୧୩ରେ ସର୍ବ ଭାରତୀୟସ୍ତରରେ ନିଟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ପରୀକ୍ଷା ସରିବା ପରେ ଓଜେଇଇ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷ ଚିନ୍ତା କରିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଓଜେଇଇ ସମସ୍ତ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଅନଲାଇନରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ କିଛି ପାଠ୍ୟକ୍ରମର ପରୀକ୍ଷା ଅନଲାଇନରେ କରିଥିବା ବେଳେ ଆଉ କେତେକ ପାଠ୍ୟକ୍ରମର ପରୀକ୍ଷାକୁ ଅଫଲାଇନରେ କରାଯାଇଥିଲା। ତେବେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏ ବର୍ଷ ସମସ୍ତ ପରୀକ୍ଷା ଅନଲାଇନରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।