ପ୍ରସିଦ୍ଧ ଓଳାଶୁଣି ଗୁମ୍ଫାମେଳା ଆରମ୍ଭ

ଚଣ୍ଡିଖୋଲ,୧୯/୧ : ଅଗଣିତ ସାଧୁସନ୍ଥଙ୍କ ସମାଗମ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ପ୍ରଥମ ଦିବସରେ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ଆଜି ଭୋର ସମୟରୁ ସନ୍ଥ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ମନ୍ଦିରରେ ଓଳାଶୁଣୀ ମଠ ମହନ୍ତ ଡ. ନାମାନନ୍ଦ ଦାସ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ରାତ୍ରିଯାପନ କରିଥିବା ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରାତଃସ୍ନାନ ସାରି ପବିତ୍ର ସମାଧି ଦର୍ଶନ କରିଥିଲେ। ପରେପରେ ମନ୍ଦିର ପରିସର ବଡ଼ଦାଣ୍ଡରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଆଜି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାଧୁସନ୍ଥ ସମାଧି ମନ୍ଦିର ପରିସରରେ ଖଞ୍ଜଣି ମାଧ୍ୟମରେ ସନ୍ଥଙ୍କ ରଚିତ ଶରୀର ତତ୍ତ୍ୱଭିତ୍ତିକ ଭଜନ ପରିବେଷଣ କରିଥିଲେ। ଗୁମ୍ଫା ପାହାଡ଼ ଶୀର୍ଷ ସମେତ ପାହାଡ଼ ଉପରୁ ପାଦଦେଶ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵ ଓ ପଶ୍ଚିମ ପଟ ମେଳା ପଡ଼ିଆରେ ହଜାର ସଂଖ୍ୟାର ବିଭିନ୍ନ କିସମର ଅସ୍ଥାୟୀ ଦୋକାନ ଖୋଲିଛି।