ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ ଶିକ୍ଷା: ଆଜି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୫: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ସ୍କୁଲ ସ୍ତରରୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ସ୍କୁଲରେ ଅଲିମ୍ପିକ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ସହ ବୁଝାମଣା ହୋଇଛି । ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ନବୀନ କହିଛନ୍ତି ୯୦ ସ୍କୁଲରେ ଆରମ୍ଭ ହେବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା । କାର୍ଯ୍ୟକ୍ରମ ଜରିଆରେ ପିଲାମାନେ ଅଲିମ୍ପିକ୍ସ ବିଷୟରେ ଅବଗତ ହେବେ ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ଦୁଇ ସ୍ମାର୍ଟ ସିଟିରେ ୯୦ ସ୍କୁଲରେ ଅଲିମ୍ପିକ ଶିକ୍ଷାଦାନ ହେବ । ରାଉରକେଲାରେ ୨୭ ଓ ଭୁବନେଶ୍ୱରରେ ୬୩ଟି ସ୍କୁଲରେ ଯୋଜନା ଲାଗୁ ହେବ । ଚୀନ ଓ ଜାପାନ ଭଳି ଖେଳାଳି ସୃଷ୍ଟି କରିବାକୁ ସରକାରଙ୍କର ଲକ୍ଷ୍ୟ ରହିଛି । ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏପରି ନିଷ୍ପତ୍ତି ନେଇଛି । ଭାରତର କ୍ରୀଡା କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ । ଚୀନ୍ ଓ ଜାପାନ ଢାଞ୍ଚାରେ ରାଜ୍ୟରେ ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ସମ୍ପର୍କରେ ଶିକ୍ଷା ଦିଆଯିବ ।