ପୁରୀ, ୨୬/୧୦ : ମହାମାରୀ କରୋନା କାଳରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ନୀତି କାନ୍ତି ଯେଉଁଭଳି ଭାବରେ କରାଯିବା କଥା ତାହା ସୁରୁଖୁରେ ସମ୍ପନ୍ନ ହେଉଛି । ଦଶହରା ଓ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚନ୍ଦନ ଲାଗି ନୀତି କରାଯିବ । ଏହାପରେ ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ ।