କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ଏମ୍‌ବିଏ ଛାତ୍ର ଗିରଫ

ବାଲେଶ୍ବର : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି। ସୋମବାର ରାତିରେ ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ୧ କେଜି ୩୨୦ ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି। ସେ ବାଲେଶ୍ବର ସୁନହଟ ବାଙ୍କଖଜୁରୀ ଗ୍ରାମର ସେକ୍‌ ରିୟାଜୁଦ୍ଦିନ୍‌। ଜବତ ଧଳାଜହରର ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଏସ୍‌ଟିଏଫ୍‌ କହିଛି । ତେବେ ଚଢ଼ଉ ବେଳେ ଅନ୍ୟ ଜଣେ ନିଶା ବେପାରୀ ଖସି ଯାଇଥିବା ଜଣାପଡ଼ିଛି।

ସୂଚନା ମୁତା‌ବକ, ରିୟାଜୁଦ୍ଦିନ୍‌ ଭୁବନେଶ୍ବରର ଏକ ଘରୋଇ ଅନୁଷ୍ଠାନ‌ର ଏମ୍‌ବିଏ ଛାତ୍ର । ବାଲେଶ୍ବରରେ ବି.ଏ ପଢ଼ିବା ବେଳଠାରୁ ସେ ନିଶା ମାଫିଆଙ୍କ ସଂସ୍ପର୍ଶରେ ଆସିଥିଲା। ପ୍ରଥମେ ଅଳ୍ପ ପଇସାରେ ନିଶାଦ୍ରବ୍ୟ ଆଣି କଲେଜ ପିଲାମାନଙ୍କୁ ବିକୁଥିଲା। ତେଣୁ ପୁଲିସ କିମ୍ବା ଅବକାରୀ ବିଭାଗ ଏହାର ଟେର୍‌ ପାଉ ନଥିଲା। ବି.ଏ ସରିବା ପରେ ସେ ଭୁବନେଶ୍ବର ଆସି ଏଠାରେ ମେସ୍‌ରେ ରହିବା ସହ କଲେଜ ପିଲାମାନଙ୍କୁ ଧଳଜହର ବିକ୍ରି କଲା। ମଝିରେ ମଝିରେ ବାଲେଶ୍ବର ଯାଇ ନିଶାଦ୍ରବ୍ୟ ଆଣୁଥିଲା। ତେବେ କାହାରି ନଜର ଯେମିତି ନ ପଡ଼ିବ, ସେଥିପାଇଁ ସେ ବହି ଭିତରେ ନିଶାଦ୍ରବ୍ୟ ରଖି କଲେଜ ଯାଉଥିଲା। ଧୀରେଧୀରେ ବେପାର ବଢ଼ିବାରୁ ତା’ର ଲୋଭ ହେଲା। ତେଣୁ ଖୁଚୁରାରେ ନ ବିକି ସିଧା ବେପାରୀଙ୍କୁ ଦେବାକୁ ଯୋଜନା କରିଥିଲା। ବାଲେଶ୍ବରରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ବରର ଖୁଚୁରା ବେପାରୀଙ୍କୁ ଯୋଗାଉଥିଲା। ତେବେ ତା’ର ଏହି ଲୋଭ କାଳ ସାଜିଲା। ସେ ଏସ୍‌ଟିଏଫ୍‌ର ରାଡାର୍‌କୁ ଆସି ଯାଇଥିଲା। ନିକଟ ଅତୀତରେ ଖଣ୍ଡଗିରି ଛକରୁ ଧରା ପଡ଼ିଥିବା ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପଚରାରଉଚରା ବେଳେ ରିୟାଜୁଦ୍ଦିନ ବିଷୟରେ ଏସ୍‌ଟିଏଫ୍ ଜାଣିବାକୁ ପାଇଥିଲା। ଏଣୁ ତାକୁ ଧରିବା ପାଇଁ ଟାର୍ଗେଟ୍‌ କରିଥିଲା।