କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଜାତୀୟ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର, ୨୫/୦୧ : କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦିନିକିଆ ଜାତୀୟ ଆଲୋଚନାଚକ୍ର ଆୟୋଜିତ । ସ୍ଥାୟୀ ବିକାଶ ଲକ୍ଷ୍ୟ ଓ କିସ୍‍: ପରିବର୍ତ୍ତନକାରୀ ଶିକ୍ଷା, ସ୍ୱେଚ୍ଛାସେବା ଓ ସମାଜ କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଭାରତର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଶୀର୍ଷକ ଉପରେ କିସରେ ଦିନିକିଆ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ବିକଶିତ ଭାରତ ପରିପ୍ରେକ୍ଷୀରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ବିଭିନ୍ନ ରାଜ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରକ୍ଷାକରି ସ୍ଥାନୀୟ ସମସ୍ୟାର ମୁକାବିଲା କରୁଛନ୍ତି ବୋଲି କହିଛନ୍ତି ସୁମନ ବେରି । ସେ ତିନି ଥର ଓଡ଼ିଶା ଆସିଥିବା ବେଳେ ଆଜିର ଗସ୍ତ ସ୍ମରଣୀୟ ହୋଇରହିବ ବୋଲି କହିଛନ୍ତି ସୁମନ ବେରୀ । କିସ୍‍ ଜରିଆରେ ଶିକ୍ଷା ମାଧ୍ୟମରେ ଓଡ଼ିଶା ରାଜ୍ୟ ତଥା ଭାରତର ଜନଜାତିଙ୍କ ଜୀବନରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇପାରିଛି ତାହା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୋଣ ଓ ନିଷ୍ଠା ସୂଚୀତ କରୁଛି ବୋଲି ସେ କହିଛନ୍ତି । ଏନେଇ ସେ ଡ. ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟତମ ଅତିଥି, ନିତି ଆୟୋଗ ସଦସ୍ୟ ଅରବିନ୍ଦ ଭିର୍ମାନୀ ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ଏହି ପ୍ରୟାସରେ ବ୍ୟକ୍ତି, ଅନୁଷ୍ଠାନ, ସମାଜ ଓ ରାଜ୍ୟ ସମସ୍ତଙ୍କ ଭୂମିକା ରହିଛି । ବିକଶିତ ଭାରତ ଗଠନରେ ତିନୋଟି ପ୍ରମୁଖ ଉପାଦାନ ଜରୁରୀ ବୋଲି ସେ କହିଛନ୍ତି । ନୀତି ଆୟୋଗ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ. ପ୍ରଭାକର ସାହୁ କିସ୍‍ ହେଉଛି ସ୍ଥାୟୀ ବିକାଶ ମଡେଲର ପ୍ରତିଫଳନ ବୋଲି କହିଛନ୍ତି । କିସ୍‍ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି । ଆମ ପାଖରେ ଥିବା ଅନୁକୂଳ ଜନସଂଖ୍ୟା ବିକଶିତ ଭାରତ ପାଇଁ ମୂଳଦୁଆ ପ୍ରସ୍ତୁତ କରେ ଏବଂ କିସ୍‍ ପ୍ରଭାବଶାଳୀ ଭାବରେ ଏହି ଲକ୍ଷ୍ୟରେ ଯୋଗଦାନ ଦେଉଛି । ସ୍ଥାୟୀ ବିକାଶ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷା, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ଦକ୍ଷତା ବିକାଶ ଆଦି ଅନ୍ତର୍ଭୁକ୍ତ । କିଟ୍‍ ଓ କିସ୍‍ ସକ୍ରିୟ ଭାବରେ ଏହି ଉଦ୍ଦେଶ୍ୟଗୁଡ଼ିକୁ ଅନୁସରଣ କରିଆସୁଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।