ଜ୍ବାଇଁଙ୍କ ଶବଦାହ କରି ଫେରୁଥିବାବେଳେ ଓଲଟି ପଡିଲା ଅଟୋ : ଜଣେ ମୃତ, ୯ ଆହତ

ବାଂଶପାଳ,୨୨/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଯାତ୍ରା ନିକଟରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଧାନଗଦି ଗ୍ରାମରେ ହାତୀ ଆକ୍ରମଣରେ ମୃତ ଯୁବକଙ୍କ ଶବଦାହ କରି ଶ୍ବଶୁର ଘର ଲୋକେ ଓ ସମ୍ପର୍କୀୟ ନିଜ ଘରକୁ ଏକ ଅଟୋ ଯୋଗେ ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ନୟାକୋଟ ଥାନା ସୁଣ୍ଡୁରା ଗ୍ରାମର ଅନିଲ ମୁଣ୍ଡା। ଆହତମାନେ ହାଣ୍ଡିଭଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜ୍ବାଇଁ ଶିବ ମୁଣ୍ଡା (୨୩) ଗତକାଲି ରାତିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ତାଙ୍କ ସହିତ ଗାଁର ଅନ୍ୟ ଲୋକମାନେ ମଧ୍ୟ ଥିଲେ। ରାତି ପ୍ରାୟ ୧୨ଟା ବେଳକୁ ୨୩ଟିକିଆ ହାତୀପଲ (୪ଦନ୍ତା ସାମିଲ) ଧାନ ଖେତକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଉଗ୍ରରୂପ ଧାରଣ କରିଥିଲା ଏବଂ ଶିବ ମୁଣ୍ଡାଙ୍କୁ ଶୁଣ୍ଢରେ ଟେକି ଖେତ ନିକଟ ନଦୀରେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଶିବଙ୍କ ସହିତ ଥିବା ସନ୍ତୋଷ ମୁଣ୍ଡା ଗଛକୁ ଚଢ଼ି ଜୀବନ ବଞ୍ଚାଇଥିବା ବେଳେ ରତ୍ନା ମୁଣ୍ଡା ଖାଲରେ ଲୁଚି ଯାଇଥିଲେ। ଶିବ ମୁଣ୍ଡା ପ୍ରାୟ ୧୦ ମାସ ତଳେ ବିବାହ କରିଥିଲେ। ତାଙ୍କର ପରିବାରରେ ସ୍ତ୍ରୀ ଓ ଛୋଟ ଶିଶୁ (୨୧ ଦିନରୁ କମ) ଅଛନ୍ତି।

SBI_Festive_Digital Billboard