ବାଇକ ଚକା ସ୍ଲିପ୍ କରିବାରୁ ଫୁଟିଲା ବୋମା; ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

ଖଲିକୋଟ, ୧/୧୨ : ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ଅଞ୍ଚଳରେ ଏକ ଅଘଟଣ ଘଟିଛି । ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଏହା ଫୁଟି ଯାଇଛି। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫୁଟିବା ଫଳରେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଗଞ୍ଜାମ ଖଲ୍ଲିକୋଟ ଥାନା ନିର୍ମଳଝର ଛକରେ ନୂଆ ଫସୁଳା ଗାଁର କବି ମହାରଣାଙ୍କ ପୁଅ ମଣ୍ଟୁ ନିଜର ଅନ୍ୟ ତୁଳସୀପୁର ଗ୍ରାମର ବଇଁଶୀ ପ୍ରଧାନଙ୍କ ପୁଅ ସିଲୁଙ୍କୁ ସାଥୀରେ ନେଇ ଯାଉଥିଲେ। ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍‌ କରିଯିବାରୁ ତଳେ ପଡ଼ି ଯାଇଥିଲା। ବାଇକ୍‌ ତଳେ ପଡିଯିବା ଫଳରେ ସେହି ସ୍ଥାନରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ବୋମାଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ପଛ ସିଟରେ ଯେଉଁ ଯୁବକ ବୋମା ଧରି ବସିଥିଲେ ତାଙ୍କ ହାତ ଉଡ଼ିଯିବା ସହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା

ବିସ୍ଫୋରଣ ସଂପର୍କିତ ସୂଚନା ମିଳିବା ପରେ ଛତ୍ରପୁର ଡିଏସ୍‌ପି ଉତ୍କଳ କେଶରୀ ଦାସ, ଏସ୍‌ଡିପିଓ ଗୌତମ କିସାନ, ସେକେଣ୍ଡ ଅଫିସର ସୁଶାନ୍ତ ପ୍ରଧାନ, ରମ୍ଭା ଆଇଆଇସି ପ୍ରଫୁଲ୍ଲ କୁମାର ସେଠୀ ଓ ଛତ୍ରପୁର ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।