ଭୁବନେଶ୍ୱର : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପି ପାଳନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି ବୋଲି ଗୁରୁବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ଶ୍ରୀ ବାବୁ କହିଛନ୍ତି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ଥିବା ବେଳେ ରାଜ୍ୟ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଆବାହକ ଭାବେ ଏବଂ ପଦ୍ମାକର ଗୁରୁ, ରବିନ୍ଦ୍ରନାଥ କର, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ୟାସିର ନୱାଜ, ବନ୍ଦିତା ପରିଡ଼ା, ଗିରିବାଳା ବେହେରା ଓ ଅମୀୟ ପାଣ୍ଡବ ସଭ୍ୟ ଭାବରେ ରହିଛନ୍ତି । ସେହିପରି ବାଙ୍ଗଲାଦେଶ ମୁକ୍ତି ଯୁଦ୍ଧ ସ୍ମରଣୀୟ ସ୍ୱର୍ଣ୍ଣ ଜୟନ୍ତୀ ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ପାଳନ କରିବାପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବାବେଳେ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ସଂଯୋଜକ ଭାବେ ଏବଂ ସସ୍ମିତା ବେହେର, ଅଶୋକ କୁମାର ଦାସ, ଅମିୟ କୁମାର ପାଣ୍ଡବ, ରଞ୍ଜିତ କୁମାର ଦାସ, ମମତା କୁଣ୍ଡୁ, ସତ୍ୟବ୍ରତ ନାୟକ ଓ ନିମାଇ ସରକାରଙ୍କୁ ସଭ୍ୟ ଭାବେ ରହିଛନ୍ତି ।