ପିଆଜ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର,୨୪ /୧୦ : ପିଆଜ ଦର ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପିଆଜ ଦର ବୃଦ୍ଧି ପାଇଁ କେନ୍ଦ୍ର ଦାୟୀ ବୋଲି ଆରୋପ ଲଗାଇଛନ୍ତି ଯୋଗାଣ ମନ୍ତ୍ରୀ।

ଏନେଇ ସେ କହିଛନ୍ତି, କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ପିଆଜକୁ ବାଦ୍ ଦେଇଦେଲେ। ଆଳୁ, ପିଆଜର ଷ୍ଟକ୍, ପରିବହନ ଯାଞ୍ଚ ନେଇ ଆମର ଅଧିକାର ଥିଲା। ନୂଆ କୃଷି ଆଇନ ପରେ ଆମର ସେ ଅଧିକାର ଆଉ ରହିଲାନି। ରାଜ୍ୟ ସରକାରଙ୍କୁ ପଙ୍ଗୁ କରି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଭୁଲ୍ ନୀତି ଯୋଗୁ ପିଆଜ ଦର ଆକାଶ ଛୁଆଁ ହେବ ବୋଲି ରଣେନ୍ଦ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପାଣିପାଗ ମଧ୍ୟ ପିଆଜ ଦର ବୃଦ୍ଧିର ପ୍ରମୁଖ କାରଣ। ପାଣିପାଗ ଯୋଗୁ ନୂଆଁ ପିଆଜ ଆମଦାନୀ ପ୍ରଭାବିତ ହୋଇଛି। ଆହୁରି ମାସେ ଦୁଇମାସ ପିଆଜ ଦର ବେକାବୁ ରହିବ ବୋଲି ମନ୍ତ୍ରୀ କହିଛନ୍ତି। କେବଳ ପିଆଜ ନୁହେଁ; ଆଳୁ, ଡାଲି, ତେଲ ଦର ବି ବଢ଼ିଛି। ଅଧିକାର ନଥିବା ସତ୍ତ୍ୱେ ଜିଲ୍ଲାପାଳମାନଙ୍କୁ କଣ୍ଟ୍ରୋଲ କରିବାକୁ କହିଛୁ ବୋଲି ମନ୍ତ୍ରୀ କହିଛନ୍ତି।