ବିଶ୍ୱରେ ମାଡ଼ିଚାଲିଛି ‘ମଙ୍କିପକ୍ସ’: ସ୍ୱିଜରଲ୍ୟାଣ୍ଡ ଓ ଇସ୍ରାଏଲରୁ ଚିହ୍ନଟ ହେଲା ଭାଇରସ୍

ଜେନେଭା: କରୋନା ପରେ ଏବେ ମଙ୍କିପକ୍ସ ଭାଇରସ ଆତଙ୍କ ସୃଷ୍ଟି କରିଛି । ସମଗ୍ର ବିଶ୍ୱରେ ଏହା ଖୁବ ତୀବ୍ର ଭାବେ ମାଡ଼ିଚାଲିଛି । ଏବେ ଏହି ନୂଆ ଭାଇରସର ମାମଲା ସ୍ୱିଜରଲ୍ୟାଣ୍ଡ ଓ ଇସ୍ରାଏଲରେ ଦେଖିବାକୁ ମିଳିଛି । ଉଭୟ ଦେଶ ଆନୁଷ୍ଠାନିକ ଭାବେ ଏହାକୁ ସ୍ପଷ୍ଟ କରିଛନ୍ତି । ନିକଟରେ ଅନେକ ୟୁରୋପୀୟ ଏବଂ ଉତ୍ତର ଆମେରିକୀୟ ଦେଶରେ ଏହି ଭାଇରସ୍ ଚିହ୍ନଟ ହୋଇଛି ।

ବିଶେଷ କରି ଆଫ୍ରିକୀୟ ଦେଶରୁ ଫେରି ଆସିଥିବା ଲୋକମାନେ ଏହାର ଶିକାର ହେଉଛନ୍ତି । କିଛି ସପ୍ତାହ ମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍ ଏବଂ ସ୍ୱିଡେନ ସହିତ ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ୧୦୦ ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ଏଭଳି ପରିସ୍ଥିତିରେ ଏହି ଭାଇରସ୍ ବିସ୍ତାର ହେବାର ସମ୍ଭାବନା ବଢ଼ିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମଙ୍କିପକ୍ସ ଚିହ୍ନଟ ନେଇ ଇସ୍ରାଏଲର ସମାଚାର ଏଜେନ୍ସି ଏଏଫପି ସୂଚନା ଦେଇଛି । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ, ଚିହ୍ନଟ ହୋଇଥିବା ବ୍ୟକ୍ତି ବିଦେଶରେ ମଙ୍କିପକ୍ସର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିଥିଲେ । ଏବେ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସେହିପରି ଶନିବାର ଦିନ ସ୍ୱିଜରଲ୍ୟାଣ୍ଡ ମଙ୍କିପକ୍ସର ପ୍ରଥମ ମାମଲା ନିଶ୍ଚିତ କରିଛି । ବର୍ନ କ୍ୟାଣ୍ଟନରେ ଜଣେ ବ୍ୟକ୍ତି ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ବିଦେଶରୁ ଫେରିଥିଲେ । ଏହି ବ୍ୟକ୍ତି ପ୍ରଥମେ ଜ୍ୱରରେ ପୀଡିତ ହେଲେ ଏବଂ ତା’ପରେ ଦେହ ଫଳିଯାଇଥିଲା । ତାଙ୍କ ସହ ସମ୍ପର୍କରେ ଥିବା ସମସ୍ତ ଲୋକଙ୍କ ପାଖକୁ ଡାକ୍ତରଖାନାରୁ ସୂଚନା ପଠାଯାଇଛି ।

ମଙ୍କିପକ୍ସର ଲକ୍ଷଣ ; ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ । ଜ୍ୱର ହେବା, ଶରୀରରେ ଫୋଟକା ଭଳି ଫଳିବା, ଦେହ ମୁଣ୍ଡ ଓ ଅଣ୍ଟା ବିନ୍ଧା ହେବା, ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରିବା,ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି ।

ଦେହରେ ମିଳିମିଳା କିମ୍ବା କାଛୁ ଭଳି ଫଳି ଯାଏ ଓ କୁଣ୍ଡାଇ ହୁଏ । ୪ ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ । ୬ ରୁ ୧୩ ଯାଏ ଏହାର କୋପ ରହେ । କିଛି ରୋଗୀଙ୍କ କ୍ଷେତ୍ରରେ ୫ ରୁ ୨୧ ଦିନ ଯାଏ ପ୍ରକୋପ ରହେ । ୨ ରୁ ୪ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ କମିଯାଏ । ସାଧାରଣ ଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ । ଉପଯୁକ୍ତ ଚିକିତ୍ସା ନକରାଇଲେ ଏହା ଘାତକ ହୋଇପାରେ ।