ଭୁବନେଶ୍ୱର, ୨୦/୦୨ : ଓଡ଼ିଶା ସୀମାନ୍ତ ରାଜ୍ୟ ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଅପରେସନ୍ ବ୍ଲାକ୍ ଫରେଷ୍ଟ-୨ । ଜଙ୍ଗଲ ଭିତରେ ଗର୍ଜୁଛି ଗୁଳି । ଏହି ଅପରେସନରେ ସୁରକ୍ଷାବାହିନୀର ଗୁଳିରେ ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ଜଙ୍ଗଲରେ ମାଓବାଦୀମାନେ ମେଳି ବାନ୍ଧିଥିବା ନେଇ ସୁରକ୍ଷା ବାହିନୀକୁ ଗୁପ୍ତ ସୂଚନା ମିଳିଥିଲା । ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ମାଓବାଦୀ ମେଳି କରୁଥିବା ଜଣାପଡ଼ିଛି । ଏହା ପରେ ଆରମ୍ଭ ହୋଇଥିଲା ଅପରେସନ୍ ବ୍ଲାକ୍ ଫରେଷ୍ଟ-୨ । ଏହି ଅଭିଯାନରେ ୨୦୦୦ ଯବାନ ସାମିଲ ହୋଇଛନ୍ତି । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ଛତିଶଗଡ଼ ପୋଲିସ, ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଏବଂ କୋବ୍ରା କମାଣ୍ଡୋ ସାମିଲ ହୋଇଛନ୍ତି । ଘମାଘୋଟ ଗୁଳି ବିନିମୟରେ ୫ ଜଣ ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ମାସ ଶେଷ ସୁଦ୍ଧା ମାଓ ମୁକ୍ତ ଭାରତ ଗଠନ ପାଇଁ ଘୋଷଣା କରିଛନ୍ତି । ସେଥିପାଇଁ ସମସ୍ତ ମାଓବାଦୀଙ୍କୁ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।