ସାରା ଦେଶରେ ମାଗଣା ଟିକାକରଣ ସହ ବେରୋଜଗାରୀଙ୍କୁ ଭତ୍ତା ଦିଅ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳ

ନୂଆଦିଲ୍ଲୀ,୧୩/୫: କେନ୍ଦ୍ର ସରକାର ସେଣ୍ଟ୍ରାଲ ପ୍ରୋଜେକ୍ଟ ବନ୍ଦ କରି ସେଇ ଅର୍ଥକୁ କରୋନା ପାଇଁ ଉପଯୋଗ କରନ୍ତୁ ବୋଲି ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହ ସାରା ଦେଶରେ ମାଗଣା ଟିକାକରଣ ପାଇଁ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଦେଶର ୧୨ଟି ପ୍ରମୁଖ ବିରୋଧୀ ଦଳ ଏହି ଚିଠି ଲେଖିଛନ୍ତି। ଏହି ଚିଠିରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ବନ୍ଦ କରିବା ସହିତ ବେରୋଜଗାରୀ ପାଇଁ ମାସକୁ ୬ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଛି। ଆହୁରି ମଧ୍ୟ ବିରୋଧୀ ଦଳଗୁଡ଼ିକର ପରାମର୍ଶ ନ ମାନିବା ଓ ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ଦେଶର ଏଭଳି ଅବସ୍ଥା ହୋଇଛି ବୋଲି ବିରୋଧୀଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଘରୋଇ ବଜାର ହେଉ କିମ୍ବା ବିଦେଶରୁ ଆବଶ୍ୟକ ପରିମାଣରେ ଭ୍ୟାକ୍ସିନ କିଣାଯାଉ ।ସାରା ଦେଶରେ ଟିକାକରଣ ସାର୍ବଜନିତ ହେଉ। ଘରୋଇ ଭ୍ୟାକ୍ସିନ ନିର୍ମାଣ ପାଇଁ ଲାଇସେନ୍ସ ବାଧ୍ୟତାମୁଳକ କରାଯାଉ। ଭ୍ୟାକ୍ସିନ ଉପରେ ୩୫ ହଜାର କୋଟିର ବଜେଟ ହେଉ। ସେହିପରି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ରୋକ ଲଗାଇ ସେଥିରେ ଆବଣ୍ଟିତ ହୋଇଥିବା ଅର୍ଥ ରାଶି ଭ୍ୟାକ୍ସିନ ଓ ଅକ୍ସିଜେନ୍‌ କିଣିବା କ୍ଷେତ୍ରରେ ବ୍ୟବହାର କରାଯାଉ।

ଆହୁରି ମଧ୍ୟପିଏମ୍‌ କେୟାର ଫଣ୍ଡ ସହିତ ସମସ୍ତ ଘରୋଇ ପାଣ୍ଠିରେ ଜମା ଅର୍ଥରାଶି ଆଣି ସେଥିରେ ଅକ୍ସିଜେନ୍ ଓ ମେଡିକାଲ ଉପକରଣ କିଣିବାରେ ବ୍ୟବହାର କରାଯାଉ।ବେରୋଜଗାରୀଙ୍କ ମାସକୁ ୬ ହଜାର ଭତ୍ତା ଦିଆଯିବା ସହ କରୋନା ସମୟରେ ସମସ୍ତ ଗରିବ ପରିବାରକୁ ମାଗଣାରେ ରାସନ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏହି ଚିଠିରେ ସୋନିଆ ଗାନ୍ଧୀ(ଆଏନ୍‌ସି), ଶରଦ ପାୱର(ଏନ୍‌ସିପି), ଉଦ୍ଧବ ଠାକରେ(ଏସ୍‌ଏସ୍‌), ଏଚ୍‌.ଡି ଦେବେ ଗୌଡ଼ା(ଜେଡିଏସ୍‌), ମମତା ବାନାର୍ଜୀ (ଟିଏମ୍‌ସି), ଏମ୍‌କେ ଷ୍ଟାଲିନ୍ (ଡିଏମ୍‌କେ), ସୀତାମରାମ ୟେଚୁରୀ (ସିପିଆଏମ୍‌), ଫାରୁକ ଅବ୍‌ଦୁଲ୍ଲା(ଜେକେପିଏ), ଅଖିଲେସ ଯାଦବ(ସପା), ହେମନ୍ତ ସୋରେନ(ଜେଏମ୍‌ଏମ୍‌), ତେଜସ୍ୱୀ ଯାଦବ(ଆର୍‌ଡେଜି), ଡି. ରାଜା(ସିପିଆଇ) ନେତାଙ୍କ ହସ୍ତାକ୍ଷର ରହିଛି।