ଆଜି ବଜେଟ ଅଧିବେଶନର ତୃତୀୟ ଦିନ, ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର, ୧୯/୦୨ : ବଜେଟ ଅଧିବେଶନର ଦୁଇ ଦିନ ହେଲା ମଣ୍ଡି ସମସ୍ୟାକୁ ନେଇ ଗୃହ କାର୍ଯ୍ୟ ଚାଲିପାରୁ ନାହିଁ। ବିରୋଧୀ ହଟ୍ଟଗୋଳ ଓ ପ୍ରତିବାଦ ଯୋଗୁଁ ଗୃହକାର୍ଯ୍ୟ ବାରମ୍ୱାର ମୁଲତବୀ ହେଉଛି । ଆଜି ବଜେଟ ଅଧିବେଶନର ତୃତୀୟ ଦିନ । ଆଜି କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କ ଘେରିବେ ବିରୋଧୀ । ନା ଗତକାଲି ଭଳି ମଣ୍ଡି ପ୍ରସଙ୍ଗରେ ଅଚଳ ହେବ ବିଧାନସଭା । କାରଣ ବିରୋଧୀଙ୍କ ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି । ଆଜି ଗୃହ ସ୍ୱାଭାବିକ ଭାବେ ଚାଲିବ ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ବିରୋଧୀ ଧାନବସ୍ତା ମୁଣ୍ଡାଇ ଗୃହରେ ପ୍ରତିବାଦ କରିଥିଲେ । ମଧ୍ୟଭାଗରେ ଧାନବସ୍ତା ରଖି ହୋହଲ୍ଳା କରିବା ସହ ବ୍ୟାନର ଦେଖାଇ ସରକାର ବିରୋଧରେ ନାରାବାଜି କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏଁ ଗୃହକୁ ଚଲାଇ ଦେବେ ନାହିଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ।