ଆଜିଠାରୁ ପୁରୀ ବାହାର ଲୋକଙ୍କ ଜାଗା ଦର୍ଶନ

ପୁରୀ : ବହୁ ପ୍ରତିକ୍ଷାର ଅନ୍ତପରେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ । ଦୀର୍ଘ ୯ ମାସ ପରେ ଆଜିଠାରୁ ପୁରୀ ବାହାର ଲୋକଙ୍କ ପାଇଁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। ପୁରୀ ସହରବାସୀଙ୍କ ପରୀକ୍ଷାମୂଳକ ଦର୍ଶନ ଶେଷ ପରେ ସମାନ ବ୍ୟବସ୍ଥାରେ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଏବଂ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କୁ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଧାଡ଼ି ଦର୍ଶନ ପାଇଁ ମାର୍କେଟ୍‌ ଛକରୁ ବାରିକେଡ୍‌ ବ୍ୟବସ୍ଥା ହୋଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା।