ନୂଆଦିଲ୍ଲୀ,୬ /୫ : ଦେଶ କୋଭିଡ୍ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି। ଦ୍ବିତୀୟ ଲହର ଶୀର୍ଷରେ ପହଞ୍ଚି ନଥିବା ବେଳେ ଏବେ ପୁଣି ତୃତୀୟ ଲହର ସଂକ୍ରମଣ ନେଇ ସତର୍କ କରାଇଲେଣି ବୈଜ୍ଞାନିକ ଏବଂ ସରକାର। ଦେଶରେ ତୃତୀୟ ଲହର ମଧ୍ୟ ଆସିବ ଏବଂ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି। ତେବେ କେଉଁ ସମୟରେ ତୃତୀୟ ଲହର ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ଜଣାନଥିଲେ ମଧ୍ୟ ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦ୍ବିତୀୟ ଲହର ଏତେ ଲମ୍ବା ଏବଂ ଭୟାନକ ହେବ ବୋଲି କେହି ଅନୁମାନ କରିପାରିନଥିଲେ। ତେଣୁ ତୃତୀୟ ଲହର କେବେ ଆସିବ ଏବଂ କେଉଁ ସ୍ତରରେ ରହିବ ତାହା ଅନୁମାନ ଲଗାଇବା କଷ୍ଟକର ବୋଲି ସେ କହିଛନ୍ତି।
ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଘବନ କହିଛନ୍ତି ଯେ ଦ୍ବିତୀୟ ଲହରରେ ଭାଇରସ୍ ଅତି ମାତ୍ରାରେ ସଂକ୍ରମକ ହୋଇଉଠିଛି। ତେଣୁ ତୃତୀୟ ଲହର ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ରାଘବନ କହିଛନ୍ତି, ସଂକ୍ରମଣ ବଢ଼ାଉଥିବା ନୂଆ ପ୍ରଜାତିକୁ ନିୟନ୍ତ୍ରଣ କରିବାପାଇଁ ସେହି ଅନୁଯାୟୀ ଟିକାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଦେଶରେ ଡବଲ୍ ମୁଟାଣ୍ଟ୍ ପାଇଁ ସଂକ୍ରମଣ ବଢ଼ୁଛି ବୋଲି ସେ କହିଛନ୍ତି।