ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଦେହାନ୍ତ 

ଚେନ୍ନାଇ,୨୫ /୯ : ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଛି। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ଚେନ୍ନାଇର ଏମ୍‌ଜିଏଚ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଯାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ସେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଗତ ଅଗଷ୍ଟ ମାସରେ ଚିକିତ୍ସା ପାଇଁ ଏମ୍‌ଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରଥମରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଭେଣ୍ଟିଲେଟର ଓ ଇସିଏମ୍‌ଓ ସପୋର୍ଟରେ ରଖାଯାଇଥିଲା। ସେପ୍ଟେମ୍ବର ୭ ତାରିଖରେ ସେ କୋଭିଡ୍‌ରୁ ସୁସ୍ଥ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୂରା ସୁଧୁରି ନଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା।

ଉଲ୍ଲେଖଯେ‌ୋଗ୍ୟ, ହିନ୍ଦୀ ସମେତ ବହୁ ଭାଷାରେ ବାଲାସୁବ୍ରମଣ୍ୟମ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୪୦ ହଜାରରୁ ଊର୍ଧ୍ବ ଗୀତ ରେକର୍ଡ କରିଛନ୍ତି। ୧୬ଟି ଭାରତୀୟ ଭାଷାରେ ସେ ବିଭିନ୍ନ ପ୍ରକାରର ଗୀତ ସଂଗୀତ ପ୍ରେମୀଙ୍କୁ ଭେଟି ଦେଇଛନ୍ତି। ବାଲାସୁବ୍ରମଣ୍ୟମ ସର୍ବାଧିକ ଗୀତ ଗାଇ ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡସରେ ତାଙ୍କ ନାମ ସାମିଲ କରିବାରେ ସଫଳ ହୋଇଛନ୍ତି। ଶ୍ରେଷ୍ଠ ପୁୁରୁଷ ‌ କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ଲାଭ କରିଛନ୍ତି । ସେ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ଭୂଷଣ’ ଉପାଧି ଗ୍ରହଣ କରିଛନ୍ତି।