ପଦ୍ମପୁର ଉପନିର୍ବାଚନ: ସପ୍ତାହେ ଭିତରେ ଘୋଷଣା ହେବ ତାରିଖ !

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ହେବ ବାଇ ଇଲେକ୍ସନ । ପଦ୍ମପୁର ଉପନିର୍ବାଚନ ପାଇଁ ସ୍ବଳ୍ପ ଦିନ ଭିତରେ ତାରିଖ ଘୋଷଣା ସମ୍ଭାବନା ରହିଛି । କିଛି ମାତ୍ରାରେ ପ୍ରଶାସନିକ କସରତ ଏନେଇ ସୂଚନା ଦେଉଛି। ଦୁଇ ଦିନ ହେଲା ବରଗଡ଼ଠାରେ ୱେର୍‌ହାଉସ୍‌ରେ ଇଭିଏମ୍‌ ମେସିନ୍‌ଗୁଡ଼ିକର କମିସନିଂ କରାଯାଇଛି। ତେଣୁ ଉପର ମହଲରୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ପାଇଁ ପ୍ରଶାସନକୁ ସଂକେତ ମିଳିଥିବା ଜଣାପଡ଼ୁଛି। ଯଦି ଭିତିରିଆ ଖବର ସତ, ତେବେ ସପ୍ତାହେ ଭିତରେ ଉପନିର୍ବାଚନ ତାରିଖ ଘୋଷଣା ହେବ।

ନଭେମ୍ବର ଶେଷ ବେଳକୁ ନିର୍ବାଚନର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଡିସେମ୍ବର ମାସ ପହିଲାରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। ପ୍ରଶାସନ ଧନୁଯାତ୍ରା ଆୟୋଜନ ପ୍ରସ୍ତୁତିରେ ବ୍ୟସ୍ତ ରହିବ। ତେଣୁ ନଭେମ୍ବର ମାସ ଭିତରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ଉଦ୍ୟମ ହେବ ବୋଲି ଜଣାପଡ଼ୁଛି। ବର୍ତମାନ ସ୍ଥିତିକୁ ଦେଖିଲେ ପଦ୍ମପୁର ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ସିଧା ଟକ୍କର ହେବ। ପଞ୍ଚାୟତନ ନିର୍ବାଚନରେ ଏହାର ଝଲକ ଦେଖିବାକୁ ମିଳିଥିଲା। ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ଚିତ୍ର ଦେଖିବାକୁ ମିଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ବିଜୟୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ ହାର ବୃଦ୍ଧି ପାଇବା ସହ ୪ଟି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇଛି।

ଉଲ୍ଳେଖଯୋଗ୍ୟ ଯେ, ୨୦୧୯ରେ ପଦ୍ମପୁର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଜଂନ ସିଂ ବରିହାଙ୍କୁ ୯୩୨୯୯ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫ ଭୋଟ୍‌ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୭୮୭ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।