ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସ୍ତ୍ରୀ ଏବଂ ଡିଏଫ୍‌ଓଙ୍କ ବିରୋଧରେ ଚାଲିବ ମାମଲା

ଭୁବନେଶ୍ୱର, ୦୯/୦୭ : ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନକୁ ଆଗ୍ରହ୍ୟ କଲେ ହାଇକୋର୍ଟ। ବିଦ୍ୟାଭାରତୀ ପଣ୍ଡା ଏବଂ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ। ସମସ୍ତଙ୍କ ବିରୋଧରେ ହତ୍ୟା ଅଭିଯୋଗ ମାମଲାର ଶୁଣାଣି ହେବ। ପାରଳାଖେମୁଣ୍ଡି sdjm କୋର୍ଟରେ ମାମଲା ରହିଛି। ୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ତାଙ୍କ ସ୍ତ୍ରୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଏବଂ ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାସାଧିକ କାଳ ତଦନ୍ତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରକାର ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥଲା।

SBI AD