ନୂଆଦିଲ୍ଲୀ : ଆଗକୁ ସମସ୍ତ ବୋର୍ଡ ଓ ଶିକ୍ଷାନୁଷ୍ଠାନର ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ମତ ବିନିମୟ କରିବେ । ପରୀକ୍ଷା ସମୟରେ ପିଲାଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ତଥା ସ୍କୁଲ ପାଠ୍ୟକ୍ରମ ପରର ପ୍ରସ୍ତୁତି ସଂପର୍କରେ ମଧ୍ୟ ଆଲୋଚନା ହେବ ।
ଚାପମୁକ୍ତ ହୋଇ ପରୀକ୍ଷାକୁ ଜୀବନର ଏକ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଦୀର୍ଘ ୬ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି । ଏଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ପରୀକ୍ଷାର୍ଥୀଙ୍କ ସହ ମତ ବିନିମୟ କରୁଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରାୟ ଦୁଇଗୁଣା ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବାକୁ ପଞ୍ଜିକରଣ କରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଦେଶର ୩୮.୮୦ ଲକ୍ଷ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏଥିପାଇଁ ପଞ୍ଜିକରଣ କରିଛନ୍ତି । ସେହିପରି ୧୫୦ରୁ ଊଦ୍ଧ୍ୱର୍ ଦେଶର ଛାତ୍ରଛାତ୍ରୀ, ୫୧ଟି ଦେଶରୁ ଶିକ୍ଷକ ଓ ୫୦ରୁ ଊଦ୍ଧ୍ୱର୍ ଦେଶରୁ ଅଭିଭାବକମାନେ ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।