ଚଳନ୍ତା ବିମାନରୁ ଡେଇଁ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଲସ୍‌ ‌ଏଞ୍ଜେଲସ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଧରି ହାଜତକୁ ନିଆଯିବା ପରେ ସେଠାରୁ ଡାକ୍ତରଖାନାକୁ ନିଆଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ସଲ୍‌ଟ୍‌ ଲେକ୍‌ ସିଟି ଅଭିମୁଖେ ବାହାରିଥିବା ‘ସ୍କାଇୱେଷ୍ଟ୍‌’ଦ୍ବାରା ପରିଚାଳିତ ‘ୟୁନାଇଟେଡ୍‌ ଏକ୍ସପ୍ରେସ୍‌ ଫ୍ଲାଇଟ୍‌ ୫୩୬୫ ସନ୍ଧ୍ୟା ୭ଟା ପରେ ପରେ ଫାଟକ ନିକଟରୁ ପଛୁଆ ଫେରୁଥିବା ବେଳେ ସେ ଯାତ୍ରୀଜଣକ ବିମାନରୁ ବାହାରି ଯିବା ଲାଗି ଉଦ୍ୟମ କରିଥିଲେ।

ସର୍ବ ପ୍ରଥମେ ସେ କକ୍‌ପିଟ୍‌ ମଧ୍ୟକୁ ପ୍ରବେଶ କରିଥିଲେ, କିନ୍ତୁ ତା’ପରେ କୌଣସି ମତେ ସର୍ଭିସ୍ ଡୋର୍‌ ଖୋଲି ପକାଇ ଏମର୍ଜେନ୍ସି ସ୍ଲାଇଡ୍‌ ବାଟେ ରାସ୍ତା ଉପରକୁ ଡେଇଁ ପଡ଼ିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି। ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ଟ୍ୟାକ୍ସିୱେ ବାଟେ ତାଙ୍କୁ ତୁରନ୍ତ ଧରି ହାଜତକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଉପଚାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସଲ୍‌ଟ୍‌ ଲେକ୍‌ ସିଟି ଅଭିମୁଖେ ବାହାରିଥିବା ଯୁଗ୍ମ-ଇଞ୍ଜିନ୍‌ବିଶିଷ୍ଟ ଏମ୍ବ୍ରାଏର୍‌ ୧୭୫ ପୁଣି ତା’ର ଫାଟକକୁ ଫେରିଯାଇଥିଲା। ଯାତ୍ରୀଜଣଙ୍କର ଏତାଦୃଶ କାଣ୍ଡ ଯୋଗୁଁ ତିନି ଘଣ୍ଟା ପରେ ମଧ୍ୟ ବିମାନଟି ଉଡ଼ାଣ ଆରମ୍ଭ କରି ପାରି ନ ଥିଲା। ‘ଦି ଫେଡେରାଲ୍‌ ଆଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍‌’ କହିବା ଅନୁସାରେ, ବିମାନ ଆରୋହଣ କରିଥିବା ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନାହାନ୍ତି। ଏହି ଘଟଣାର ତଦନ୍ତ ଦାୟିତ୍ବ ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ ଉପରେ ନ୍ୟସ୍ତ କରାଯାଇଛି।