କେନ୍ଦ୍ରାପଡ଼ା,୧୦/୬ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତିକନପୁର ପଞ୍ଚାୟତର ପ୍ରଗତି କୃଷକ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଓ ବେଙ୍ଗ ବେଙ୍ଗୁଲି ବିବାହ ଉତ୍ସବ ମହାଆଡମ୍ବର ସହକାରେ ପୂର୍ଣ୍ଣତୋୟା ଚିତ୍ରୋତ୍ପଳା ନଦୀ ପଠାରେ ଅବସ୍ଥିତ ବାବା ତ୍ରିଲୋଚନ ମହାପୁରୁଷଙ୍କ ପୀଠରେ ପାଳିତ ହୋଇଯାଇଛି । ପ୍ରଗତି କୃଷକ କ୍ଲବ ବାର୍ଷିକ ଉତ୍ସବ ଅବସରରେ ଅଞ୍ଚଳର ବହୁ ଅଗ୍ରଣୀ ଚାଷୀ ଭାଇଙ୍କୁ ନେଇ ଏକ କୃଷକ ସଭା ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥିଭାବେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ମୁଖ୍ୟ ବକ୍ତା ଭାବେ କବି ଓ ସମାଜସେବୀ ବିଜନ ରାୟ , ସମ୍ମାନିତ ଅତିଥିଭାବେ ତେଣ୍ଡାକୁଡ଼ା ପଞ୍ଚାୟତର ସମିତିସଭ୍ୟ ତଥା ଗରଦପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ସମାଜସେବୀ ଅଜୟ କୁମାର ରାଉତ , ଗରଦପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ରମାକାନ୍ତ ବେହେରା , ବ୍ଲକ କୃଷି ଅଧିକାରୀ ବିଶିଷ୍ଟ ଜେନା , ତିକନପୁର ପଞ୍ଚାୟତର ସମିତି ସଭ୍ୟା ଙ୍କ ପ୍ରତିନିଧି ଅଞ୍ଜନ କୁମାର ଦେବତା , ଗୋପବନ୍ଧୁ ନାଥ ଯୋଗଦେଇଥିଲେ ।
ଚାଷୀଭାଇଙ୍କ ଧାନ ଅନୁକୂଳ ପର୍ବ ଅକ୍ଷୟ ତୃତୀୟା ଯାଇଥିଲେ ସୁଦ୍ଧା ବର୍ତ୍ତମାନ ବର୍ଷା ନାହିଁ ଓ ମୌସୁମୀ ଆସିବାର ବିଳମ୍ବ ହେତୁ ଚାଷୀ ଭାଇ ବର୍ଷାକୁ ଚାତକ ଭଳି ଅନାଇ ବସିଛି । ପୂର୍ବପୁରୁଷ ଙ୍କ କହିବା କଥା ଅନୁସାରେ ” ବେଙ୍ଗ ମୁଣ୍ଡରେ ସିନ୍ଦୂର ” ଗାଳି ପକା ଇନ୍ଦର । ସେହି ପୂର୍ବକଥା କୁ ମନେପକାଇ ଓ ଚାଷୀ ଭାଇଙ୍କ ଶୁଭ ମନାସି ପ୍ରଗତି କୃଷକ କ୍ଲବ ପକ୍ଷରୁ ବେଙ୍ଗ ଓ ବେଙ୍ଗୁଲି ବିବାହ ରୀତିନୀତି ଓ ପୁରୋହିତଙ୍କ ମନ୍ତ୍ର ପାଠ ଅନୁସାରେ ଅନୁଷ୍ଟିତ ହୋଇଥିଲା । ଆଜିର ଏହି ବେଙ୍ଗ ଓ ବେଙ୍ଗୁଲି ବିବାହ ରେ ବେଙ୍ଗର ବର ପିତା ଭାବେ ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ବେଙ୍ଗୁଲି ବା କନ୍ୟା ପିତା ଭାବେ କବି ବିଜନ ରାୟ ବିବାହ କାର୍ଯ୍ୟକୁ ସମାପନ କରିଥିଲେ । ଏହି ପବିତ୍ର ବେଙ୍ଗ ଓ ବେଙ୍ଗୁଲି ବିବାହ ସମେତ କୃଷକ କ୍ଲବର କର୍ମକର୍ତ୍ତା ପରିଚାଳନା କରିଥିଲେ ।