ଭୁବନେଶ୍ୱର, ୧୦/୦୮ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପଚରା ଉଚୁରା ପରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା କେନ୍ଦ୍ରାପଡା ଏସପି କହିଛନ୍ତି । ଘଟଣା ଘଟିବାର କିଛି ସମୟ ପୂର୍ବରୁ ପ୍ରମୋଦ ଯୁବତୀଙ୍କ ସହ କଥା ହୋଇଥିଲେ । ଜୁଲାଇ ୧୭ରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଆଉ ଦୁଇ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଇଥିଲେ । କାଠିଆପଡାରେ ଏକ ପଡୋଶୀଙ୍କ ଘରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ମୃତକଙ୍କ ବାପା ଘରୁ ଯିବାର ଏବଂ ଫେରିବାର ଦୃଶ୍ୟ ମଧ୍ୟ ହସ୍ତଗତ ହୋଇଛି । ସେହି ଦିନ ୧୧ଟା ୪୦ ବେଳେ ଗାଁରେ ଲୋକଙ୍କ ଧାଁ ଦୌଡ କରୁଥିବା ଘଟଣା ସାମ୍ନାକୁ ଆସିଛି । କାରଣ ବାପା, ମାଆ ନିଜ ବୟାନରେ କହିଥିବାର ସମୟ ଏବଂ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ସମୟ ମଧ୍ୟରେ ପାର୍ଥକ୍ୟ ରହିଛି । ବାପା, ମାଆ କିଛି କହୁଥିବା ବେଳେ ସିସି କ୍ୟାମେରାରେ ଆଉ କିଛି ରେକର୍ଡ ହୋଇଛି । ତେବେ ପୁରୁଷ ବନ୍ଧୁଙ୍କ ମୋବାଇଲରୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ମିଳିବା ପରେ ପୋଲିସ ପ୍ରଥମେ ଯୁବକ ବନ୍ଧୁଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଅଗଷ୍ଟ ୪ରେ ପୁରୁଷ ବନ୍ଧଙ୍କୁ ଚେନ୍ନାଇରେ ଧରିଥିଲା ପୋଲିସ । ତାଙ୍କୁ ଏକ ସ୍ୱତନ୍ତ୍ର ଦଳ ଧରି କେନ୍ଦ୍ରାପଡା ପୋଲିସ ମୁଖ୍ୟାଳୟକୁ ଅଣାଯାଇଥିଲା ।
ଜଣେ ଯୁବତୀ ପୂର୍ବତନ ପ୍ରେମିକାଙ୍କ ବାରମ୍ବା ବ୍ଲାକମେଲିଂ ଧମକର ଶିକାର ହେବା ପରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ । ପ୍ରେମିକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ସାମାଜିକ ଗଣାମାଧ୍ୟମରେ ପ୍ରସାରିତ କରିବା ସହ ଯୁବତୀଙ୍କୁ ବ୍ଲାକମେଲିଂ କରିଥିଲେ । ଯୁବତୀ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଥାନାକୁ ଯାଇ ସଂପୃକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏଫଆଇଆର ରୁଜୁ କରି ନ ଥିଲା । ଓଲଟା ସମସ୍ତ ସାମାଜିକ ଗଣମାଧ୍ୟମରେ ଯୁବକଙ୍କୁ ବ୍ଲକ ମାରିବାକୁ ପୋଲିସ ଯୁବତୀଙ୍କୁ କହିଥିଲେ । ଏମିତି ୬/୭ ମାସ ଧରି ଚାଲିଥିଲା । ଯୁବକର ବ୍ଲାକମେଲିଂରେ ହତାଶ ହୋଇ ଶେଷରେ ନିଜର ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ଯୁବତୀ । ଆଉ ଘରେ କେହି ନ ଥିବା ସମୟରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ।