ଗୁଇନ୍ଦା ଓ ଭିଜିଲାନ୍ସ ବିଭାଗ ଫେଲ୍‌ ମାରିଥିବା ଯୋଗୁଁ ସରକାରୀ ବାବୁ କୋଟି କୋଟି ଅର୍ଥ ହଡପ କରୁଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୧ /୧୨: ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି।

ଆଜକୁ ୭୩ବର୍ଷ ବିତିଗଲାଣି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା କିନ୍ତୁ ଦୀର୍ଘ ଏହି କିଛି ବର୍ଷ ଓଡ଼ିଶାରେ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ଯେନତେନ ପ୍ରକାରଣେ କ୍ଷମତା ଦଖଲ କରିବା ପାଇଁ ଲାଗିପଡ଼ିଛନ୍ତି। ଯଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତେ ଆଜି ଗଣମାନଙ୍କ ସ୍ୱର ଦୁର୍ବଳ ହେବାରେ ଲାଗିଛି। ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବାକୁ କହୁଁ ନାହିଁ। କିନ୍ତୁ ଯେଉଁମାନେ ଗଣକ ସ୍ୱରଙ୍କୁ ସମ୍ମାନ ଦେବାପାଇଁ ଏବଂ ସମ୍ବିଧାନପ୍ରତି ଉତରଦାୟି ସେମାନେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ସେମାନେ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବାରେ ପ୍ରୟାସ କରିଛନ୍ତି କି ନା ସୁବିଧାବାଦୀ ରାଜନୀତିରେ ଫାଇଦା ନେଇ କ୍ଷମତା ଦଖଲ କରିବାରେ ବ୍ୟସ୍ତ ଅଛନ୍ତି। ଏହି କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରୀ, ବ୍ୟାଙ୍କ ଡକାୟିତି ବହୁ ମାତ୍ରରେ ବୃଦ୍ଧି ପାଇଛି। ସରକାର ତଥ୍ୟ ଅନୁସାରେ ଓଡ଼ିଶାର ୨୩୧୮୩ ମହିଳାଙ୍କ ପ୍ରତି ଗୁରୁତ୍ୱର ଅତ୍ୟାଚାର କରାଯାଇଛି। ୭୦୧୨ ଜଣ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଶିକାର ହୋଇଛନ୍ତି। ୫୫୦୩ ଅଳ୍ପ ବୟସ୍କା ବାଳିକା ନିଖୋଜ ଅଛନ୍ତି।

ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ପୋଲିସ ବିଭାଗ ଉପରେ କିନ୍ତୁ ରାଜ୍ୟରେ ଚୋରୀ, ରାଜହାନୀ, ଦୁଷ୍କର୍ମ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା ବେଳେ ରାଜ୍ୟ ସରକାର ପୋଲିସ ନିଯୁକ୍ତି କରୁନାହାଁନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ୯ହଜାର ପୋଲିସ ପଦବୀ ଖାଲି ପଡ଼ିଛି। ହୋମଗାର୍ଡ଼ମାନଙ୍କୁ ଚାକିରୀରୁ ବାହାର କରୁଛନ୍ତି। ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ୱାହୁତି ଦେବାକୁ ଉଦ୍ୟତ ହେଲେ। ମୁଖ୍ୟମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବେ କି ନାହିଁ ? ଯେ ତାଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ରାଜନୀତିରେ ନିଷ୍ଠାର ଆବଶ୍ୟକତା ରହିଛି।