ନୂଆଦିଲ୍ଲୀ: ଲୋକଙ୍କ ଆବଶ୍ୟକତା ପୂରଣ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଘରଗୁଡ଼ିକୁ ମାଗଣା ରାସନ ଦେବା ସହିତ ବର୍ତ୍ତମାନ ସରକାର ଡିସ୍ ଟିଭି ମାଗଣାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ଅବସ୍ଥା ସୁଧାରିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନିଆଯାଇଛି ଯେ, ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ସ୍ଥିତି ସୁଧାରିବା ପାଇଁ ୨୫୩୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ସରକାର କହିଛନ୍ତି ଯେ, ଦେଶର ସୁଦୂର, ସୀମାବର୍ତ୍ତୀ ଏବଂ ଆଦିବାସୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଗଣା ଡିସର ସୁବିଧା ଦିଆଯିବ । ସେହି ଅଞ୍ଚଳରେ ପ୍ରାୟ ୭ ଲକ୍ଷ ଲୋକଙ୍କ ଘରେ ମାଗଣା ଡିସ୍ ଲଗାଯିବ । ଏହି ଯୋଜନା ମାଧ୍ୟମରେ ଡିଟିଏଚକୁ ବିସ୍ତାର କରିବା କେନ୍ଦ୍ରର ଯୋଜନା ରହିଛି । ଏହା ସହିତ ପୁରୁଣା ଷ୍ଟୁଡିଓ ଉପକରଣ ଏବଂ ଓବି ଭ୍ୟାନ୍ କୁ ସଂପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏବେ ପ୍ରାୟ ୩୬ ଟି ଟିଭି ଚ୍ୟାନେଲ୍ ଦୂରଦର୍ଶନ୍ ଅଧୀନରେ ଆସୁଛି । ଏଥିମଧ୍ୟରୁ ୨୮ ଟି ଆଞ୍ଚଳିକ ଚ୍ୟାନେଲ ଏବଂ ଏଆଇଆରରେ ବର୍ତ୍ତମାନ ପ୍ରାୟ ୫୦୦ ପ୍ରସାରଣ କେନ୍ଦ୍ର ଅଛି ।
ଏହା ମଧ୍ୟ ଦେଶରେ ନିଯୁକ୍ତି ବୃଦ୍ଧି କରିବ ବୋଲି ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହିତ ବିଷୟବସ୍ତୁର ଗୁଣବତ୍ତା ମଧ୍ୟ ଉନ୍ନତ ହେବ । ଦେଶରେ ଟିଭି, ରେଡିଓ ସମେତ ଅନେକ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ, ଯେଉଁଥିପାଇଁ ଯୁବକମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଦୂରଦର୍ଶନରେ ବଡ ପରିବର୍ତ୍ତନ ସହିତ ସରକାର ଭିଡିଓ ଗୁଣରେ ମଧ୍ୟ ଉନ୍ନତି କରିବେ । ଏହା ସହିତ ପୁରୁଣା ଟ୍ରାନ୍ସମିଟରଗୁଡ଼ିକୁ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସରକାର ଏହା କହିଛନ୍ତି ଯେ, ନୂଆ ଏଫଏମ ଟ୍ରାନ୍ସମିଟର ସ୍ଥାପନ କରାଯିବ ଏବଂ ପୁରୁଣା ଟ୍ରାନ୍ସମିଟରଗୁଡ଼ିକୁ ନବୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।
