ପୁନାୱାଲାଙ୍କ ପରିବାରକୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ପାଇଁ ଦାଏର ହେଲା ପିଟିସନ୍‌

ମୁମ୍ବାଇ: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର୍‌ ପୁନାୱାଲା ଏବଂ ତାଙ୍କ ପରିବାରକୁ ‘ଜେଡ୍‌+’ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ବୁଧବାର ଦିନ ବମ୍ବେ ହାଇକୋର୍ଟରେ ‘ରିଟ୍‌ ପିଟିସସନ୍‌’ ଦାଏର କରାଯାଇଛି। ଉକ୍ତ ପିଟିସନ୍‌ ଫାଇଲ୍‌ କରିଥିବା ଆଡ୍‌ଭୋକେଟ୍‌ ଦତ୍ତ ଶ୍ରୀରଙ୍ଗ ମାନେ କହିଛନ୍ତି ଯେ, ଅଦର୍‌ ଏବଂ ତାଙ୍କ ପରିବାରବର୍ଗଙ୍କୁ ‘ଜେଡ୍‌+’ ସୁରକ୍ଷା ଯୋଗାଇ ଦେବା ଉଚିତ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ ଧମକ ଦିଆଯାଉଥିବାରୁ ତାଙ୍କ ସମ୍ପତ୍ତିକୁ ମଧ୍ୟ ନିରାପଦ ରଖାଯିବା ଉଚିତ।

ପିଟିସନ୍‌କାରୀ ଦାଏର କରିଥିବା ଅଭିଯୋଗ ଆଧାରରେ ‘ଏଫ୍ଆଇଆର୍‌’ ଫାଇଲ୍‌ କରିବା ପାଇଁ ମହାରାଷ୍ଟ୍ର ସରକାର ଏବଂ ପୁଣେ ପୁଲିସ କମିସନର୍‌ଙ୍କୁ ଆଦେଶ ଦେବା ଲାଗି ଉକ୍ତ ପିଟିସନ୍‌ରେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ତାଙ୍କ ପିଟିସନ୍‌ ଆଧାରରେ କୌଣସି ଆଦେଶ ଜାରି ହେବା ପର୍ଯ୍ୟନ୍ତ ପୁନାୱାଲା ଏବଂ ତାଙ୍କ ପରିବାରବର୍ଗଙ୍କୁ ବିପୁଳ ପୁଲିସ ସୁରକ୍ଷା ଦିଆଯିବା ଉଚିତ। ଏହାଛଡ଼ା, ପୁନାୱାଲାଙ୍କ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଏବଂ ଅନ୍ୟାନ୍ୟ ସମ୍ପତ୍ତିବାଡ଼ିରେ ପୁଲିସ ମୁତୟନ କରାଯିବା ଉଚିତ ବୋଲି ଆଡ୍‌ଭୋକେଟ୍‌ ଦତ୍ତ ଶ୍ରୀରଙ୍ଗ କହିଛନ୍ତି।

ମେ ୨ ତାରିଖ ଦିନ ଲଣ୍ଡନ୍‌ର ଏକ ଖବରକାଗଜ ସହ ସାକ୍ଷାତ୍‌କାର ବେଳେ ପୁନାୱାଲା ଅଭିଯୋଗ କରିଥିଲେ କି, ତାଙ୍କ ଫାର୍ମ ଉତ୍ପାଦନ କରୁଥିବା କୋଭିଡ୍‌-୧୯ ଟିକା ତୁରନ୍ତ ‘ଡେଲିଭରି’ ଦେବାକୁ ରାଜନେତା ଓ କ୍ଷମତାଶାଳୀ ଲୋକେ ଧମକ ଦେଉଛନ୍ତି।