ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କା ସାମ୍ନାକୁ ପ୍ରତିଦିନ ନୂଆ ନୂଆ ସମସ୍ୟା ଆସୁଛି । ବୈଦେଶିକ ମୁଦ୍ରାର ତୀବ୍ର ଅଭାବ ହେତୁ ଶ୍ରୀଲଙ୍କା ନାଗରିକଙ୍କ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ ଅସମର୍ଥ ହେଉଛି । ଏହି କାରଣରୁ ଇନ୍ଧନ ସଙ୍କଟ ଆହୁରି ଗଭୀର ହୋଇଛି ଏବଂ ପେଟ୍ରୋଲ- ଡିଜେଲ ମୂଲ୍ୟ ବୃଦ୍ଧି ହେବରେ ଲାଗିଛି । ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ରୁଷ୍ରୁ ତେଲ କିଣିବାକୁ ଯୋଜନା କରୁଛି । ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ରବିବାର କହିଛନ୍ତି, ତାଙ୍କ ଦେଶ ରୁଷ୍ରୁ ତେଲ କିଣିବାକୁ ବିକଳ୍ପ ଖୋଜୁଛି।
ଶ୍ରୀଲଙ୍କାର ବିଜୁଳି ଏବଂ ଉର୍ଜା ମନ୍ତ୍ରୀ କଞ୍ଚନ ବିଜୟଶେଖରା କହିଛନ୍ତି ଯେ, ‘ଆମେ ରାଜନୈତିକ ମାଧ୍ୟମ ଖୋଜୁଛୁ। ଶ୍ରୀଲଙ୍କାକୁ ଆସିଥିବା ଶେଷ ଜାହାଜ ଏକ ରୁଷୀୟ ଜାହାଜ ଥିଲା। ଆମ ପୂର୍ବ ଋଣ ଆବେଦନକୁ ଅନ୍ତର୍ଜାତୀୟ ବ୍ୟାଙ୍କ ଖାରଜ କରିବାର କାରଣ ହେଉଛି ସେ ଜାହାଜର ମାଲିକାନା ଏକ ରୁଷ୍ କମ୍ପାନୀ ପାଖରେ ଥିଲା। ଦୁଇ ଜଣ ମନ୍ତ୍ରୀ ଇନ୍ଧନ ଓ ଅନ୍ୟ ରାଜନୈତିକ ମାମଲାରେ ଆଲୋଚନା କରିବା ପାଇଁ ସୋମବାର ରୁଷ୍ ଗସ୍ତ କରିଛନ୍ତି। ଶ୍ରୀଲଙ୍କା ସରକାର ଗତ ସପ୍ତାହରେ ଅଶୋଧିତ ତେଲ କିଣିବାକୁ ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଥିବା କେତେକ କମ୍ପାନୀ ସହ ଯୋଗାଯୋଗ କରିଥିଲେ।’
ଏହାରି ମଧ୍ୟରେ ଶ୍ରୀଲଙ୍କାରେ ପେଟ୍ରୋଲ ଦର ୫୦ ଟଙ୍କା ଓ ଡିଜେଲ ଦାମ୍ ୬୦ ଟଙ୍କା ବଢ଼ିଛି। ଗତ ୨ ମାସରେ ତୃତୀୟ ଥର ପାଇଁ ଇନ୍ଧନ ଦାମ୍ ବୃଦ୍ଧି ପାଇଛି। ଏହି ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଲିଟର ପିଛା ୪୭୦ ଟଙ୍କା ଶ୍ରୀଲଙ୍କା ମୁଦ୍ରା ହୋଇଥିବା ବେଳେ ଡିଜେଲ ଦର ୪୬୦ ଟଙ୍କା ହୋଇଛି।