ନୂଆଦିଲ୍ଲୀ,୧୩ /୯ : ବିହାର ବିଧାନ ସଭା ନିର୍ବାଚନ ପୂର୍ବରୁ ବିହାରବାସୀଙ୍କୁ ନିର୍ବାଚନୀ ଭେଟି ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲିୟମ୍ କ୍ଷେତ୍ରରେ ବିହାରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଜି ଲୋକାର୍ପଣ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସେ ଲୋକାର୍ପଣ କରିଥିବା ଏହି ପ୍ରକଳ୍ପଗୁଡ଼ିକ ହେଉଛି, ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ୍ଲାଇନ୍ ପ୍ରକଳ୍ପର ଦୁର୍ଗାପୁର-ବାଙ୍କା ସେକ୍ସନ୍ ଏବଂ ପୂର୍ବ ଚମ୍ପାରଣ ଓ ବାଙ୍କାରେ ଗୋଟିଏ ଲେଖାଏଁ ଏଲ୍ପିଜି ବଟଲିଂ ପ୍ଲାଣ୍ଟ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗ୍ୟାସ ଭିତ୍ତିକ ଶିଳ୍ପ ଏବଂ ପେଟ୍ରୋ ପାଇପ୍ଲାଇନ୍ ପ୍ରକଳ୍ପ ବିହାର ଏବଂ ପୂର୍ବ ଭାରତର ବିକାଶକୁ ଗତି ଦେବ। ଶ୍ରୀ ମୋଦୀ କହିଛନ୍ତି ଯେ ୯୦୦କୋଟି ଟଙ୍କାର ପେଟ୍ରୋ ପ୍ରକଳ୍ପ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଗ୍ୟାସ ପାଇପ୍ଲାଇନ୍ ସଂଯୋଗ ପରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ | ସେ କହିଛନ୍ତି ଯେ ବାଙ୍କା ଏବଂ ପୂର୍ବ ଚମ୍ପାରାଣର ବଟଲିଂ ପ୍ଲାଣ୍ଟରେ ବର୍ଷକୁ ଏକ କୋଟି ୨୫ ଲକ୍ଷ ସିଲିଣ୍ଡର ଫିଲିଂ କରାଯାଇ ପାରିବ। ବିହାରରେ ଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ପ୍ରକଳ୍ପର ଦଶଟି ପ୍ରକଳ୍ପ ମଧ୍ୟରୁ ବିହାର ପାଇଁ ପିଏମ୍ ପ୍ୟାକେଜ୍ ଅଧୀନରେ ସାତୋଟି ପ୍ରକଳ୍ପ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।