ଆରମ୍ଭ ହେବ କରୋନା ଟିକା ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ : କରୋନା ଟିକାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଭିତରେ ଦେଶରେ କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଛି। ବହୁତ ଶୀଘ୍ର ଟିକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ଏମ୍ସର ସୂତ୍ରରୁ ଜଣାପଡିଛି ଯେ, ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଶୀଘ୍ର ଦାଖଲ ହେବ |

ଭାରତ ଏବେ କରୋନା ଟିକାର ପରୀକ୍ଷା ଚଳାଇଥିବା ବେଳେ ଋଷ ନିଜର ଟିକା ପୂର୍ବ ଘୋଷଣା ମୁତାବକ ଧାର୍ଯ୍ୟ ତାରିଖରେ ଲୋକାର୍ପିତ କରିପାରିଛି। ଏପରିକି ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ‘ସ୍ପୁଟ୍‌ନିକ୍‌-ଭି’ ନାମକ ଏହି ଟିକାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ଝିଅ ଠାରେ ପ୍ରୟୋଗ କରିଥିବା ମଧ୍ୟ ଘୋଷଣା କରିଛନ୍ତି। ଦେଶ ଭିତରେ ଏହାକୁ ନେବା ପାଇଁ ହିତାଧିକାରୀଙ୍କର ପଞ୍ଜୀକରଣ ସହ ଏହାର ବ୍ୟାବସାୟିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ସପ୍ତାହକ ଭିତରେ ଏହା ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି ଆକଳନ କରାଯାଇଛି। ତେବେ ଏତେ ସତ୍ତ୍ବେ କୌଣସି କୋଭିଡ୍‌ ଟିକାକୁ ଚାତକ ପରି ଚାହି ବସିଥିବା ବିଶ୍ବର ତୃତୀୟ ସର୍ବାଧିକ କୋଭିଡ୍‌ କ୍ଷତିଗ୍ରସ୍ତ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରମାନେ ମଧ୍ୟ ଏହି ‘ସ୍ପୁଟ୍‌ନିକ୍‌-ଭି’ ଟିକା ପ୍ରତି ସେଭଳି ଆଗ୍ରହ ପ୍ରକାଶ କରିନାହାନ୍ତି। ଟିକାର ଫଳପ୍ରଦତା ସମ୍ପର୍କରେ ଠିକ୍‌ ସୂଚନା ନଥିବାରୁ କେହି ଏହି ଟିକା କିଣିବା ପାଇଁ ଆଗ୍ରହୀ ନଥିବା ଜଣା ପଡ଼ିଛି।