ନୂଆଦିଲ୍ଲୀ, ୧୬/୧୧ : କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଭିତରେ ଦେଶରେ ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଛି। ଆଜି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି ବୋଲି ଜଣା ପଡ଼ିଛି। ଏ ବିଷୟରେ ଆଜି ଭାରତ ବାୟୋଟେକ୍ ଘୋଷଣା କରିଛି। ଏହା ହେଉଛି ଭାରତରେ କୋଭିଡ୍-୧୯ ଟିକାର ସର୍ବବୃହତ୍ ପରୀକ୍ଷା।
‘ଆଇସିଏମ୍ଆର୍’ ସହ ମିଳିତଭାବେ ପରିଚାଳିତ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଭାରତର ୨୫ଟି କେନ୍ଦ୍ରରେ ୨୬,୦୦୦ ସ୍ବେଚ୍ଛାସେବୀ ସମ୍ପୃକ୍ତ ହେବେ। ୨୦୨୧ ପ୍ରାରମ୍ଭରେ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହୋଇପାରେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଟିକାକୁ ସୁଲଭମୂଲ୍ୟରେ ଉପଲବ୍ଧ କରାଇବାକୁ ଭାରତ ଉଦ୍ୟମ କରୁଛି। ତେଣୁ, କୋଭାକ୍ସିନ୍ ବିଶ୍ବର ସବୁଠୁ ଶସ୍ତା ମୂଲ୍ୟର କୋଭିଡ୍-୧୯ ଟିକା ହୋଇପାରେ ବୋଲି ଆଶା କରାଯାଉଛି।
ସ୍ବେଚ୍ଛାସେବୀମାନେ ୨୮ ଦିନ ବ୍ୟବଧାନରେ ଏହି ଟିକାର ଦୁଇଟି ଡୋଜ୍ ନେବେ। ଟିକା ନେଇଥିବା ସ୍ବେଚ୍ଛାସେବୀମାନେ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହେଉଛନ୍ତି କି, ନାହିଁ ଜାଣିବାକୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆସନ୍ତା ବର୍ଷ ସାରା ଦୃଷ୍ଟି ରଖାଯିବ। ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ଓ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ଙ୍କ ସହଯୋଗରେ ଭାରତ ବାୟୋଟେକ୍ ଏହି ଟିକାକୁ ବିକଶିତ କରିଛି।