ପ୍ରାଣ ହରାଇଲେ ଘୁଷୁରୀ ହୃତପିଣ୍ଡ ଲଗାଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି

ନୂଆଦିଲ୍ଲୀ,୧୦/୩ : ଆମେରିକୀୟ ଡାକ୍ତରମାନେ ନିକଟରେ ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଥିଲେ । ସେମାନେ ଜଣେ ବ୍ୟକ୍ତିଙ୍କଠାରେ ଘୁଷୁରୀର ହୃତପିଣ୍ଡ ପ୍ରତିରୋପଣ କରିଥିଲେ । କିନ୍ତୁ ଘୁଷୁରୀରର ହୃତପିଣ୍ଡ ଲଗାଇଥିବା ପ୍ରଥମ ବ୍ୟକ୍ତିଙ୍କ ଅପରେସନର ଦୁଇ ମାସ ପରେ ମୃତ୍ୟୁ ଘଟିଛି ।

୫୭ ବର୍ଷୀୟ ଡେଭିଡ୍ ବେନେଟ୍ ମଙ୍ଗଳବାର ମ୍ୟାରୀଲାଣ୍ଡ ମେଡିକାଲ ସେଣ୍ଟର ବିଶ୍ୱବିଦ୍ୟାଳରେ ପ୍ରାଣ ହରାଇଛନ୍ତି । ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ବୋଲି ଡାକ୍ତରମାନେ କହିଛନ୍ତି ।

ବେନେଟଙ୍କ ପୁଅ ହୃତପିଣ୍ଡ ପ୍ରତିରୋପଣ ନେଇ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ, ଏହା ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ଜନିତ ଅଭାବ ଦୂର କରିବ ।

ସୂଚନାଯୋଗ୍ୟ, ଗତ ଜାନୁଆରୀରେ ଡାକ୍ତରମାନେ ବେନେଟଙ୍କ ଠାରେ ଘୁଷୁରୀ ହୃତପିଣ୍ଡର ସଫଳ ପ୍ରତିରୋପଣ କରିଥିଲେ । କିନ୍ତୁ ପ୍ରତିରୋପଣ ପରେ ବେନେଟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତରମାନେ ନିଶ୍ଚିତ କରିନଥିଲେ । ତେବେ ଏହି ପ୍ରକ୍ରିୟା ଏକ ମାଇଲଷ୍ଟୋନ୍ ହୋଇ ରହିବ ବୋଲି ସେମାନେ କହିଥିଲେ ।