ବାଲେଶ୍ୱର, ୪/୧୧ : ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ମଲଟି ବ୍ୟାରେଲ ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ପୂର୍ବାହ୍ନ ୧୦ଟା୨୩ ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଏହାକୁ ଉତ୍କ୍ଷେପଣ କରାଯାଇଥିଲା । ଏକାଦିକ୍ରମେ ରକେଟ ଲଞ୍ଚରରୁ ୪୮ ସେକେଣ୍ଡରେ ୬ଟି ରକେଟ ନିକ୍ଷେପ କରାଯାଇଥିଲା। ବିକଶିତ ପୀନାକ ରକେଟ ଲଞ୍ଚର ସର୍ବାଧିକ ଦୂରତା ଅତିକ୍ରମ କରି ଲକ୍ଷ୍ୟ ଭେଦ କରିଥିଲା ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ଡିଆରଡିଓ, ପୁନେର ଥିବା ଲାବୋରଟୋରୀ ଏସଆରଡିଇ ଓ ଏଚଇଏମଆରଷଲ ପକ୍ଷରୁ ପୀନାକକୁ ବିକଶିତ କରାଯାଇଥିଲା। ଟେଲିମେଟ୍ରି ଓ ଇଲେକଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ରକେଟର ଗତିପଥ ଉପରେ ନଜର ରଖା ଯାଇଥିଲା। ଯାହା ସଠିକ ଲକ୍ଷ୍ୟ ଭେଦ କରିଥିବା ସ୍ପଷ୍ଟ କରିଥିଲା। ଏହି ପରୀକ୍ଷାରେ ପୀନାକର ବିକଶିତ ସଂସ୍କରଣ ବ୍ୟବହାର କରାଯାଇଥିବା ବେଳେ ଏହା ପୂର୍ବରୁ ପୀନାକ ଏମକେ-ଆଇ ବଦଳରେ ସେନା ବାହିନୀ ପକ୍ଷରୁ ବ୍ୟବହାର କରାଯିବାର ଲକ୍ଷ୍ୟ ରହିଛି। ଏହି ସଫଳତା ପରେ ରକେଟ ଲଞ୍ଚର ନିର୍ବାଣ ଓ ପରୀକ୍ଷା ଦିଗରେ ଭାରତ ଆଉ ପାଦେ ଆଗକୁ ଯାଇ ପାରିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।