ପିପିଲି,୩ /୪ : ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି । କରୋନା କଟକଣାକୁ ଏଠାରେ ଖାତିର ନାହିଁ । ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ରାଜନୈତିକ ଦଳର ନେତା, ନେତ୍ରୀଙ୍କର ସୁଅ ଏବେ ପିପିଲି ମୁହାଁ । ପ୍ରତି ଗାଁ ଗାଁରେ ଏବେ ମାଳ ମାଳ ନେତା । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବାରେ ଏବେ ସମସ୍ତେ ବ୍ୟସ୍ତ । ଖରାକୁ ଖାତିର ନକରି ପ୍ରାର୍ଥୀମାନେ ଘରକୁ ଘର ବୁଲି ଝାଳବୁହା ପରିଶ୍ରମ କରୁଛନ୍ତି ।
ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ଏନ୍ଏସିକୁ ନେଇ ଗଠିତ ପିପିଲି ବିଧାନସଭା ଆସନରେ ୧୭ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ସରିଛି । ନିର୍ବାଚନୀ ମୈଦାନରେ ଏବେ ମାଳ ମାଳ ନେତା । ନେତାଙ୍କ ସହ ସେଲ୍ଫି ନେବାର ମଜା ଉଠାଉଛନ୍ତି ଯୁବଗୋଷ୍ଠୀ । ସମଗ୍ର ନିର୍ବାଚନମଣ୍ଡଳୀ ଏବେ ପୋଷ୍ଟର, ବ୍ୟାନରମୟ ହୋଇଯାଇଛି । କାନ୍ଥବାଡରେ ଲାଗିଛି ଦଳୀୟ ପ୍ରାର୍ଥୀଙ୍କ ଫଟୋ ଓ ପୋଷ୍ଟର । ଶାସକ ବିଜେଡି ଦଳର ଶହେରୁ ଉର୍ଦ୍ଧ୍ବ ନେତା, ମନ୍ତ୍ରୀ ଓ ବିଧାୟକ ଏବେ ପିପିଲି, ଡେଲାଙ୍ଗରେ ଡେରା ପକାଇଥିବା ବେଳେ ବିଜେପିର ମଧ୍ୟ ବହୁ ସଂଖ୍ୟାରେ ନେତା, ନେତ୍ରୀ, ବିଧାୟକ ଏଠାରେ ଡେରା ପକାଇଛନ୍ତି । ଉଭୟ ଦଳ ପକ୍ଷରୁ ପଞ୍ଚାୟତ, ୱାର୍ଡ ଓ ବୁଥ୍ସ୍ତରୀୟ କମିଟି ଗଠନ କରାଯାଇ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ଦଳର ସଂଗଠନକୁ ମଜ୍ବୁତ୍ କରି ଭୋଟ୍ ବୃଦ୍ଧି କରାଇବା ପାଇଁ ବିଜେଡିର ନେତା ମାନଙ୍କୁ ବିଭିନ୍ନ ପଞ୍ଚାୟତ, ୱାର୍ଡ ଆଦି ଦାୟିତ୍ୱ ବଣ୍ଟନ କରାଯାଇଛି । ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ସମେତ ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଗ୍ରାମରେ ଭିନ୍ନ ଭିନ୍ନ ବୈଠକ କରି ଭୋଟ୍ ବୃଦ୍ଧି କରାଇବା କାମରେ ଦିନରାତି ଲାଗିଛନ୍ତି ।
ସେହିପରି ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସ୍ତରୀୟ ବରିଷ୍ଠ ନେତା, ନେତ୍ରୀ, ବିଧାୟକ ଓ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ଭୋଟ୍ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ବିଭିନ୍ନ ଗ୍ରାମରେ ବିଜେପି ନେତ୍ରୀମାନେ ମେହେନ୍ଦୀ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଏକାଠି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ଭୋଟ୍ ପ୍ରଚାର ଚାଲିଛି । ପ୍ରତିଶୃତିରେ ଭୋଟରଙ୍କୁ ପୋତି ପକାଉଛନ୍ତି ନେତାଏ । ଖରା ତାତି ଠାରୁ ବଳି ପଡିଛି ଉପନିର୍ବାଚନ ତାତି । ଗାଁ ଗାଁରେ ଭୋଜିର ଆସର ଜମିଛି । ବାଇକ୍ରେ ମାଗଣା ତେଲ ପକାଇ ଦଳୀୟ ରାଲିରେ ବୁଲୁଛନ୍ତି ଲୋକେ । ଖାଇବା ସାଙ୍ଗକୁ ଦିନକୁ ୫ଶହରୁ ହଜାରେ ଟଙ୍କା ରୋଜଗାର । ପ୍ରତ୍ୟେକ ସକାଳେ ନିର୍ବାଚନୀ ରାଲି ପାଇଁ ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି ।