ପିପିଲି,୨୫/୯ : ପିପିଲି ଉପନିର୍ବାଚନ ପ୍ରଚାର ଶେଷ ହେବାକୁ ମଝିରେ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ବିଜେପିର ବରିଷ୍ଠନେତା ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଦଳୀୟ ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀପ୍ରଧାନ ଉତ୍ତରାଛକରୁ ପ୍ରଚାରରେ ବାହାରି ମଧୁପୁର, ଲକ୍ଷ୍ମୀନାରାୟଣପୁର, ଗୁଡିଆପୋଖରୀ, ଜଇସପାଟଣା, ଜଗନ୍ନାଥପୁର, ନୂଆଶାସନ, କସରଦା, ସଠସ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, କମାକନ୍ତିଆ, ରୂପଦେଇପୁର, ରଥପୁରୁଷୋତ୍ତମପୁର, ସରସ୍ୱତୀପୁର, ଯଶୁଆପୁର, ବୀରପୁରୁଷୋତ୍ତମପୁର, ମଉନିମଠ ଓ ଡେଲାଙ୍ଗ ଆଦି ଅଞ୍ଚଳ ଗସ୍ତ କରି ଶ୍ରୀପଟ୍ଟନାୟକଙ୍କ ପାଇଁ ଜୋରଦାର ଭୋଟ୍ ପ୍ରଚାର କରିଥିଲେ। ପିପିଲିର ସର୍ବାଙ୍ଗିନ ବିକାଶ ପାଇଁ ଦଳୀୟ ପ୍ରାର୍ଥୀ ଆଶ୍ରୀତଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ୨୦୧୯ରେ ଘଟିଥିବା ଫଣି’ ମହାବାତ୍ୟା କ୍ଷୟକ୍ଷତିକୁ ପ୍ରଧାନମନ୍ତ୍ରୀ ନିଜେ ଆସି ଦେଖିବା ପରେ ଘରଭଙ୍ଗା ସାହାର୍ଯ୍ୟ, ନୂତନ ଘରନିର୍ମାଣ ପାଇଁ ସାହାର୍ଯ୍ୟ ସହ ଅନ୍ୟାନ୍ୟ ବିକାଶ ପାଇଁ ସହାୟତା ଯୋଗାଇ ଦେଇଥିଲେ। କିନ୍ତୁ ଦଳୀୟ ପଶାପାଲିରେ ପେଶି ହୋଇ ଶାସକ ଦଳ କେବଳ ନିଜ ସମର୍ଥକମାନଙ୍କୁ ତାଙ୍କ ମଧ୍ୟସ୍ଥିଙ୍କ ମାଧ୍ୟମରେ ଦେବା ପାଇଁ ଷଡଯନ୍ତ୍ର କରିଥିବାରୁ ତାହାକୁ ଲୋକେ ବିରୋଧ କରୁଛନ୍ତି। ଏହା ଶାସକଦଳର ଅପାରଗତାର ଚରମ ନିଦର୍ଶନ ବୋଲି ସେ ଅଭିଯୋଗ କରିବା ସହ ଏହା ଆଜି ପିପିଲିର ମୂଳ ପ୍ରସଙ୍ଗ ହୋଇଛି ବୋଲି କହିଥିଲେ।
ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ପ୍ରଚାରରେ ସାମିଲ ହୋଇ ପିପିଲିବାସୀ ପରିବର୍ତ୍ତନ ଚାହୁଁଛନ୍ତି, ତେଣୁ ନିର୍ବାଚନମଣ୍ଡଳୀବାସୀଙ୍କ ଆଶିର୍ବାଦ ରହିଲେ ଏହି ଠାରୁ ହିଁ ପରିବର୍ତ୍ତନର ଯାତ୍ରା ଆରମ୍ଭ ହେବ ବୋଲି କହିଥିଲେ । ଧର୍ମେନ୍ଦ୍ର ଓ ସମ୍ବିତଙ୍କ ସହିତ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବରିଷ୍ଟ ନେତା ଓମପ୍ରକାଶ ମିଶ୍ର, ବରିଷ୍ଠନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡା, ବରିଷ୍ଠନେତା ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ଭାସ୍କର ମଢେଇଙ୍କ ସମେତ ଦଳର ବହୁ ବିଧାୟକ ଓ ରାଜ୍ୟସ୍ତରୀୟ ନେତାମାନେ ପ୍ରଚାରରେ ସାମିଲଥିଲେ।