ପିପିଲି,୧୨ /୨: ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ହାଇଭୋଲଟେଜ ପ୍ରଚାର ହୋଇଥିଲା। ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ସମେତ ନିର୍ବାଚନମଣ୍ଡଳୀର ବିଜେଡି ନେତାମାନେ ଏଥିରେ ସାମିଲ ହୋଇ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିଥିଲେ। ଆଗକୁ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସରପଞ୍ଚ ଉପନିର୍ବାଚନର ଫଳାଫଳ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେଡିର ବରିଷ୍ଠ ନେତାମାନେ ସାଧାରଣ ସଭାରେ ପ୍ରକାଶ କରିଛନ୍ତି।
ବିଜେଡିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇଥିବା ପ୍ରତାପ କେଶରୀ ଦେବଙ୍କ ସମେତ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ଜିଲା ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ଦେବୀ ଓ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଦଳୀୟ ନେତା ଓ କର୍ମୀମାନେ ଶୁକ୍ରବାର ପୂର୍ବାହ୍ନରେ ପିପିଲି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ପାଛୋଟି ନେଇ ନୂଆଶାସନ ପଞ୍ଚାୟତର ବିଭିନ୍ନ ୱାର୍ଡ ପରିକ୍ରମା କରାଇଥିଲେ। ବିଭିନ୍ନ ଗ୍ରାମରେ ପଦଯାତ୍ରାରେ ଯାଇ ଦଳୀୟ ନେତା ମାନେ ବିଜେଡି ସମର୍ଥୀତ ପ୍ରାର୍ଥୀ ଡାକ୍ତର ଚିନ୍ମୟ ମହାପାତ୍ରଙ୍କ ପାଇଁ ଭୋଟ୍ ପ୍ରଚାର କରିଥିଲେ। ପରେ ଚଉଦମାଣ ସ୍ଥିତ ମେଳଣପଡ଼ିଆ ଠାରେ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀଦାଶ, ପର୍ଯ୍ୟବେକ୍ଷକ ଶ୍ରୀ ଦେବ, ବିଧାୟକ ଶ୍ରୀ ସାମନ୍ତରାୟ, ଜିଲା ବିଜେଡି ସଭାପତି ଶ୍ରୀମହାନ୍ତି, ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ଜିଲା ପର୍ଯ୍ୟବେକ୍ଷିକା ସନ୍ଧ୍ୟାରାଣୀ ଦେବୀ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ସରପଞ୍ଚ ଉପନିର୍ବାଚନକୁ ହାଲୁକା ଭାବେ ନନେଇ ସ୍ୱର୍ଗତ ମହାରଥୀଙ୍କ ପ୍ରତି ଥିବା ସମ୍ମାନକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥୀତ ପ୍ରାର୍ଥୀ ଚିନ୍ମୟଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ସେମାନେ ଅନୁରୋଧ କରିଥିଲେ।